କରୋନା ଟୀକାକରଣ ପରେ ମଦ୍ୟପାନ କେତେ ସୁରକ୍ଷିତ? ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଉଛି । ବୟସ୍କଙ୍କୁ ଟିକା ଦେବା ସହ ୪୫ ବର୍ଷରୁ ଅଧିକ ବୟସ୍କ କେହି ଯଦି ଗୁରୁତର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆ ସରିଲାଣି । ବୁଧବାର ସକାଳ ସାଢ଼େ ୬ଟା ସମୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମସରେ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ଏବେ ୭୦, ତାଙ୍କୁ ଭାରତ ବାୟୋଟେକର ସ୍ୱଦେଶୀ ଟିକା ‘କୋଭାକ୍ସିନ’ ଦିଆଯାଇଛି । ଗୋଟିଏ ପଟେ ଟିକାକରଣ ଜୋର ସୋରରେ ଚାଲିଥିବା ବେଳେ ନେତା ମନ୍ତ୍ରୀ ମଧ୍ୟ ଟିକା ନେଲେଣି । ହେଲେ ଅନ୍ୟପଟେ ଏବେ ବି ଲୋକଙ୍କ ମନରେ କରୋନା ଟିକାକୁ ନେଇ ଅନେକ ଅସନ୍ତୋଷ ରହିଛି । ଟିକାକୁ ନେଇ ସେମାନଙ୍କ ମନରେ ଢ଼େର ପ୍ରଶ୍ନ ରହିଛି । ଖାଲି ପ୍ରଶ୍ନ ନୁହେଁ ସାଧାରଣରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ମଧ୍ୟ ରହିଛି ।

ତେଣୁ ଲୋକଙ୍କ ମନରୁ ସନ୍ଦେହ ଓ ଦ୍ୱିଧା ଦୁର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଯାହାକି ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱିଧା, ପ୍ରଶ୍ନ ଓ ସନ୍ଦେହ ସବୁ ଦିଗରୁ ଦୂର ହୋଇପାରିବ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଉତ୍ତର ରଖାଯାଇଛି ଯାହା ଲୋକ ଜାଣିବାକୁ ଚାହୁଁଛନ୍ତି ।  ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ କ’ଣ ଆଉ ଉତ୍ତର କ’ଣ ?

ଲୋକଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ….  ଟୀକାକରଣ ପରେ ମଦ୍ୟପାନ କରିହେବ ନା ନାହିଁ ?

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଶେଷଜ୍ଞମାନେ ଏଭଳି କୌଣସି ତଥ୍ୟ ଦେଇ ନାହାନ୍ତି, ଯେ ଟିକା ନେବା ପରେ ମଦ ପିଇବା ଦ୍ୱାରା କୌଣସି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୋଇଛି । ଟିକା ନେବା ପରେ ମଦ୍ୟପାନ କରି କୌଣସି ବ୍ୟକ୍ତିଙ୍କ ମଧ୍ୟରେ କିଛି ଖରାପ ପ୍ରଭାବ ପଡ଼ିବା ନେଇ ତଥ୍ୟ ଆସି ନାହିଁ ।

ସେହିଭଳି ଆଉ କଏ ବଡ଼ ପ୍ରଶ୍ନ ହେଉଛି.. ଯେ, କୋଭିଡ୍‌ ଭ୍ୟାକ୍ସିନ୍‌ ନେବା ପରେ ମହିଳାଙ୍କର ପ୍ରଜନନ କ୍ଷମତାରେ ପ୍ରଭାବ ପଡ଼ିଥାଏ କି ନାହିଁ ?

ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ସମ୍ପୂର୍ଣ୍ଣ ରୂପେ ଏକ ଗୁଜବ ମାତ୍ର । ଏଭଳି କୌଣସି ଭୟ ନାହିଁ । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । କୌଣସି ଟିକା କାହାର ବି ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ ନାହିଁ । ସବୁ ଟିକା ବ୍ୟବହାର କରିବା ପୂର୍ବରୁ ପଶୁ ଓ ମଣିଷଙ୍କ ଶରୀରେ ପ୍ରଥମେ ଟ୍ରାଏଲ କରାଯାଇଥାଏ । ଯଦି ଟ୍ରାଏଲ ସମୟରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ତେବେ ଏହାକୁ ଅନୁମତି ଦିଆଯାଏ ନାହିଁ ।

Vaccination Plan For Cop’s Of Twin City

ଆଉ ଗୋଟିଏ ବଡ଼ ପଶ୍ନ ହେଉଛି ଟିକା ନେବା ପରେ କେଉଁ ସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇଟି ଯାକ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ଉଭୟ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସମ୍ପୂର୍ଣ୍ଣ ଉପଯୋଗୀ । ଯଦି ଟିକା ନେବା ପରେ କୌଣସି ଅସୁବିଧା ସାମ୍ନାକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଯୋଗାଯୋଗ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଉ ଏକ ବଡ଼ ପ୍ରଶ୍ନ ହେଲା ଯେ, ଯଦି ଜଣେ ବ୍ୟକ୍ତି ନିଜ ଗାଁରେ ପ୍ରଥମ ଡୋଜ୍ ନେଇଛନ୍ତି କିନ୍ତୁ ପରେ କୌଣସି କାମରେ ତାକୁ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ସେ କ’ଣ କରିବ ? ଅନ୍ୟ ସହରରେ, ଅନ୍ୟ ଏକ ଟିକାକରଣ କେନ୍ଦ୍ରରେ, ସେ ଅନ୍ୟ ବ୍ରାଣ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବ ନା ନାହିଁ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ  । କାରଣ ଦୁଇଟି ଡୋଜ ଟିକା ନେବାର ଅନ୍ତର ପ୍ରାୟ ଏକ ମାସ କିମ୍ବା ତାଠାରୁ ଅଧିକ ରହିଛି ।

ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଜଣେ ବ୍ୟକ୍ତି ଗୋଟିଏ ବ୍ରାଣ୍ଡର ପ୍ରଥମ ଡୋଜ୍ ନେଉଛି ତେବେ ସେହି ବ୍ୟକ୍ତି ନାଁରେ ଅଟୋମେଟିକ୍ ଦ୍ୱିତୀୟ ଡୋଜ୍ ପାଇଁ ପଞ୍ଜିକରଣ ହୋଇଯାଇଥାଏ । ତେଣୁ ଉକ୍ତ ବ୍ୟକ୍ତିକୁ ସେହି ସମାନ ଟିକାକରଣ କେନ୍ଦ୍ରରେ ହିଁ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ । ସରକାର ଏବେ ସୁଦ୍ଧା ସେଭଳି କୌଣସି ଗାଇଡଲାଇନ୍ ପ୍ରସ୍ତୁତ କରିନାହାନ୍ତି ଯେଉଁଥିରେ କି, ଅନ୍ୟ ସ୍ଥାନରେ କିମ୍ବା ଅନ୍ୟ ରାଜ୍ୟରେ ଜଣେ ବ୍ୟକ୍ତି ଟିକା ଦ୍ୱିତୀୟ ଡୋଜ୍‌ ନେଇପାରିବ । ଟିକା ନେବା ପାଇଁ ୪ରୁ ୬ ସପ୍ତାହ ସମୟ ଦିଆଯାଇଛି ।

ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍ କୋଭାକ୍ସିନ୍ ଗ୍ରହଣ କରିଛି। ତେବେ ତାକୁ ଦ୍ୱିତୀୟ ଡୋଜରେ ମଧ୍ୟ ସେହି କୋଭାକ୍ସିନ୍‌ ଟିକା ନେବାକୁ ପଡ଼ିବ। ଆଉ ଯଦି ଜଣେ ପ୍ରଥମ ଡୋଜରେ କୋଭିସିଲ୍ଡ ଟିକା ନେଇଛି ତେବେ ସେ ଦ୍ୱିତୀୟ ଡୋଜ୍ ମଧ୍ୟ କୋଭିସିଲ୍ଡ ହିଁ ନେବାକୁ ପଡ଼ିବ।

Leave a Reply