ରାଜନୀତିରେ ଫେଲ୍: ‘କପିଲ ଶର୍ମା ଶୋ’କୁ ଫେରିବେ ସିଦ୍ଧୁ !

1 min read

ନୂଆଦିଲ୍ଲୀ: ହିନ୍ଦିରେ ଏକ ଲୋକକଥା ରହିଛି ‘କ୍ୟା ସେ କ୍ୟା ହୋ ଗୟା, ବେବଫା ତେରେ ପ୍ୟାର ମୈ…’ । ପଞ୍ଜାବ ରାଜନୀତିରେ ନବଜ୍ୟୋତି ସିଂ ସିଦ୍ଧୁଙ୍କ ପାଇଁ ଏହି ଉକ୍ତିଟି ବର୍ତ୍ତମାନ ଶତ ହେବାକୁ ଯାଉଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ସିଦ୍ଧୁଙ୍କୁ ଧୋକ୍କା ଦେଇଛି । ଦଳ ଭାଙ୍ଗିଲେ, ବିରୋଧୀଙ୍କ ଶିବିରରେ କେଁ ପୂରାଇଲେ । ନିଜ ଦଳକୁ ବି ଛାଡ଼ିଲେ ନାହିଁ । ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବା ଆଶାରେ ପଞ୍ଜାବ କଂଗ୍ରେସର ସ୍ଥିର ଓ ନିର୍ମଳ ପୋଖରୀକୁ ପୂରା ଗୋଳିଆ କରି ଦେଲେ । ହେଲେ ଆଶା, ଆଶାରେ ରହିଗଲା । ଜନତା ଏହି ବଡ଼ କୁହା ନେତାଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛନ୍ତି । ଏବେ ସୋସିଆଲ ମିଡ଼ିଆରେ ସିଦ୍ଧୁଙ୍କୁ ନେଇ ଗୋଟିଏ କଥା ଭାଇରାଲ ହେବାରେ ଲାଗିଛି । ତାହା ହେଉଛି ‘ଦି କପିଲ ଶର୍ମା ଶୋ’କୁ ଫେରିବେ ସିଦ୍ଧୁ ।

କୁହାଯାଉଛି, ସିଦ୍ଧୁଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି । ଏବେ କ୍ୟାମେରା ଆଗରେ ମୁହଁ ଦେଖାଇବାକୁ ଓ ଚର୍ଚ୍ଚାରେ ରହିବାକୁ ହେଲେ ସିଦ୍ଧୁଙ୍କ ପାଇଁ ଏକମାତ୍ର ସାହାରା କପିଲ ଶର୍ମା । ସୋସିଆଲ ମିଡ଼ିଆରେ ୟୁଜର୍ସ ଏହାକୁ ନେଇ ନାନା ପ୍ରକାର ପୋଷ୍ଟ କରିବାରେ ଲାଗିଛନ୍ତି । କେହି କେହି ପୋଷ୍ଟ କରି ଲେଖିଛନ୍ତି, ‘କପିଲଙ୍କ ଶୋ’ରେ ଅର୍ଚ୍ଚନା ପୁରଣ ସିଂଙ୍କୁ ଏବେ ଜଜ୍ ଚୌକି ଛାଡ଼ିବାକୁ ପଡିବ ।’ ଅନ୍ୟପକ୍ଷରେ ସିଦ୍ଧୁଙ୍କ ପରାଜୟରେ ତାଙ୍କର କିଛି ଫ୍ୟାନ୍ ବହୁତ ଖୁସି ଥିବା ପରି ମନେ ହେଉଛି । ସିଦ୍ଧୁଙ୍କ ପାଇଁ ପ୍ରାୟ ସବୁ ରାସ୍ତା ବନ୍ଦ ହେବା ଭଳି ଲାଗୁଥିବା ବେଳେ ତାଙ୍କୁ ପୁଣି ଥରେ କପିଲଙ୍କ ଶୋ’ରେ ଦେଖିବାକୁ ତାଙ୍କ ପ୍ରଶଂସକ ଅନାଇ ବସିଛନ୍ତି ।

କପିଲଙ୍କ ଶୋ’କୁ ଫେରି ପାରିବେନି ସିଦ୍ଧୁ

ସିଦ୍ଧୁଙ୍କୁ କପିଲ ଶର୍ମା ଶୋ’ରେ ଦେଖିବାକୁ ଇଚ୍ଛୁକ ଲୋକଙ୍କ ଏ ଆଶା ପୂରଣ ହେବନି । ଯାହା ଉପରେ ମୋହର ମାରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ । ଅଶୋକ ଏକ ଟ୍ବିଇଟ୍ କରି ସ୍ପଷ୍ଟ କରି ଦେଇଛନ୍ତି ଯେ, ଚାହିଁଲେ ବି ସିଦ୍ଧୁ, କପିଲଙ୍କ ଶୋ’କୁ ଫେରି ପାରିବେ ନାହିଁ । ସେ ଟ୍ବିଇଟରେ ଲେଖିଛନ୍ତି, ‘ଫେଡେରେସନ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋଇଜ୍’ ସିଦ୍ଧୁଙ୍କ ଉପରେ ପାକିସ୍ତାନକୁ ସମର୍ଥନ କରିବାକୁ ନେଇ ନନ୍ କୋଅପରେସନ ଇସ୍ୟୁ ଲଗାଇଛି । ଏହାର ଅର୍ଥ ସିଦ୍ଧୁ ‘ଦି କପିଲ ଶର୍ମା ଶୋ’କୁ ଫେରି ପାରିବେ ନାହିଁ ।