ଉପନିର୍ବାଚନ ପାଇଁ ପିପିଲିରେ ଜୋର ଧରିଲାଣି ପ୍ରଚାର, ମଇଦାନରେ ଦଳର ଷ୍ଟାର କ୍ୟାମ୍ପେନର

1 min read

ପିପିଲି: ଆସନ୍ତା ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏଥିପାଇଁ ଏବେଠୁ ଜୋର ଧରିଲାଣି ପ୍ରଚାର । ସବୁ ଦଳର ଷ୍ଟାର କ୍ୟାମ୍ପେନରମାନେ ପ୍ରଚାର ମଙ୍ଗ ଧରିଲେଣି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦଳୀୟ କର୍ମୀ ଓ ନେତାଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେଡି । ଏହାସହ ବାପାଙ୍କ ଅଧୁରା କାମ ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ରୁଦ୍ର ମହାରଥୀ । ଆଜି ପୁବା ଶାସନ, ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର, ଓରକଳ, ପୋପରଙ୍ଗା, ପମସରା ଓ ଭାରତୀପୁର ପଞ୍ଚାୟତରେ ରୋଡ ଶୋ ସାଙ୍ଗକୁ କର୍ମୀ ସମ୍ମିଳନୀ କରିବେ ରୁଦ୍ର ।

ସେହିପରି ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି ।

ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner