କିଏ ସେହି ପ୍ରଭାବଶାଳୀ ଗୁରୁ ମା’, ଯାହାଙ୍କ ଛତ୍ରଛାୟା ତଳେ ମାନସ ହତ୍ୟାକାରୀ ?

ଭୁବନେଶ୍ୱର: ବୁଢିଆଣୀ ଜାଲ ଭଳି ଗୁଳେଇ ହୋଇ ରହିଛି କ୍ୟାମେରାମ୍ୟାନ ମାନସ ସ୍ୱାଇ ହତ୍ୟା ମାମଲା । ଜଣେ ପରେ ଜଣେ ଚେହେରା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  ।  ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଫେରାର ଥିବା ବେଳେ, ତାକୁ ଖୋଜୁଛି ପୋଲିସ । ସପ୍ତାହେରୁ ଉର୍ଦ୍ଧ୍ୱ ସମୟ ଧରି ଫେରାର ଅଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ତେବେ ସେ କୌଣସି ସୁରକ୍ଷିତ ସ୍ଥାନରେ ଆତ୍ମଗୋପନ କରିଥିବା ସୂଚନା ରହିଛି । ଏହାରି ଭିତରେ ଶର୍ମିଷ୍ଠା ଓ ଜଣେ ଗୁରୁ ମା’ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ଏହି ଗୁରୁ ମା’ ଅତ୍ୟନ୍ତ ପ୍ରଭାବଶାଳୀ । ଏକ ଜାତୀୟ ଦଳ ସହ ଗୁରୁ ମା’ଙ୍କ ସମ୍ପର୍କ ରହିଛି ।

ଏହି ଗୁରୁ ମା’ଙ୍କ ଛତ୍ରଛାୟା ତଳେ ଆତ୍ମଗୋପନ କରିଛନ୍ତି କି ଶର୍ମିଷ୍ଠା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଅତୀତରେ ବି ଗୁରୁ ମା’ ଶର୍ମିଷ୍ଠାଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣା ବିଷୟରେ କିଛି ଜାଣିନଥିବା କହିଛନ୍ତି ଶର୍ମିଷ୍ଠାଙ୍କ ମା’ । ତେବେ ଦୋଷ କରିଥିଲେ ସେ ନିଶ୍ଚିତ ଦଣ୍ଡ ପାଇବ ବୋଲି କହିଛନ୍ତି ଶର୍ମିଷ୍ଠାଙ୍କ ମା’ । ଏହାରି ଭିତରେ ପୋଲିସ ହାତରେ ଲାଗିଛି ମାନସର ମୋବାଇଲ । ହେଲେ ପୋଲିସ କେମିତି ପହଞ୍ଚିଲା ମାନସର ମୋବାଇଲ ପାଖରେ, ତାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି । ଘଟଣା ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ – ଜାରକା ଶଙ୍ଖାରିଡିହ ଠାରେ ରାସ୍ତା କଡ଼ରୁ ମୋବାଇଲଟି ପଡି ରହିଥିଲା । ସେହି ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବା ଜାରକା ଅଞ୍ଚଳର ସୁରେଶ ନାୟକ ଏହି ମୋବାଇଲ ପାଇଥିଲେ ।

ମୋବାଇଲ ପାଇଥିବା ସୁରେଶ  ମୋବାଇଲକୁ ଅପରେଟ କରି ନପାରିବାରୁ ଏକ ଦୋକାନୀକୁ ଦେଖାଇଥିଲେ । ମୋବାଇଲକୁ ବାରମ୍ବାର କଲ୍ ଆସୁଥିବାରୁ ଦୋକାନୀ ଜଣକ ଉଠାଇଥିଲେ । ଏହି ସମୟରେ ମୋବାଇଲ କେଉଁଠାରେ ଅଛି ପଚରାଯିବାରୁ ଦୋକାନୀ ଜଣକ ଠିକଣା ବତାଇଥିଲେ । ଯାହା ଫଳରେ ଚାନ୍ଦବାଲି ପୋଲିସ ଧର୍ମଶାଳା ପୋଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ପାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ମୋବାଇଲକୁ ଜବତ କରିଥିଲା । ତେବେ ମୋବାଇଲ ବିଷୟରେ କିଛି ଜାଣିନଥିବା କହିଛନ୍ତି ସୁରେଶ ।