ଆଜି ଓଡ଼ିଶା ଆସିବ ଶର୍ମିଷ୍ଠାର ଭାଇ ପରମେଶ୍ୱର, ଗିରଫ କରି ବିଜୟଓ୍ୱାଡାରୁ ଫେରୁଛି ସ୍ପେଶାଲ୍ ଟିମ୍

ଭୁବନେଶ୍ୱର: ଭଉଣୀର ଠିକଣା କହିବେ ଭାଇ । ଆଜି ଓଡ଼ିଶା ଆସିବ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତ । ଗତକାଲି ପରମେଶ୍ୱରକୁ ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପରମେଶ୍ୱରଙ୍କୁ ଓଡ଼ିଶା ଆଣୁଛି । ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ଲାନ କରିଥିଲା ପରମେଶ୍ବର  । ମାନସକୁ ହତ୍ୟା କରିବା ପରେ କିଛିଦିନ ଓଡ଼ିଶାରେ ଥିଲା ଶର୍ମିଷ୍ଠା । ଭଦ୍ରକ ପୋଲିସର ଜେରା ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲା । ଏହାରି ଭିତରେ ଶର୍ମିଷ୍ଠା ଫେରାର୍ ହୋଇଯାଇଥିଲା ।

ଭାଇଭଉଣୀଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା କଥା ମଧ୍ୟ ପୋଲିସ ପ୍ରମାଣ ପାଇଛି । କିନ୍ତୁ ଶର୍ମିଷ୍ଠା ବିଜୟଓ୍ୱାଡାରେ ନାହାନ୍ତି ବୋଲି ପୋଲିସ କହିଛି । ତେବେ ଶର୍ମିଷ୍ଠା ଏବେ କେଉଁଠି ପରମେଶ୍ବରଠୁ ଠିକଣା ବାହାର କରିବାକୁ ଉଦ୍ୟମ କରୁଛି ପୋଲିସ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାକୁ ଧରିବାକୁ ଏବେ ଭଦ୍ରକ ପୋଲିସର ୪ଟି ଟିମ୍ ସାରା ଦେଶରେ ଘୂରି ବୁଲୁଛି । ଏବେ ପୋଲିସର ଫୋକସରେ ରହିଛନ୍ତି ଶର୍ମିଷ୍ଠା ଓ ଝୁନା । ସେପଟେ ମେମୋରୀ ଚିପକୁ ନେଇ ଏବେ ବି ଲାଗି ରହିଛି ରହସ୍ୟ । ପୋଲିସ୍ କହୁଛି ଚିପ୍ ଜବତ କରିନୁ । କିନ୍ତୁ ଯେଉଁ ଚିପ୍ ପାଇଁ ହତ୍ୟାକାଣ୍ଡ ହେଲା ବୋଲି କୁହାଯାଉଛି, ତାହା ଏବେ ଗଲା କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।