ଏହି ଶିବମନ୍ଦିର ପାଇଁ ଭାରତର ଦୁଇ ପଡ଼ୋଷୀ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ
1 min read
ନନ୍ଦିଘୋଷ ବ୍ୟୁରୋ: ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଘମାଘୋଟ ଲଢ଼େଇ । ଥାଇଲାଣ୍ଡ କମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରି ଦେଇଛି । ଏହାପୂର୍ବରୁ ଦୁଇ ଦେଶର ସେନା ସୀମାରେ ପରସ୍ପର ଉପରକୁ ଫାୟରିଂ କରିଥିଲେ । ଥାଇଲାଣ୍ଡ ସେନା ପ୍ରଥମେ ଫୟରିଂ କରିଥିବା କମ୍ବୋଡିଆ ବିଦେଶ ମନ୍ତ୍ରାଳୟ ଅଭିଯୋଗ କରିଛି । ଅନ୍ୟପକ୍ଷେ ଥାଇଲାଣ୍ଡ ପକ୍ଷରୁ କୁହାଯାଇଛି, କମ୍ବୋଡିଆ ସେନା ପଠାଇବା ପୂର୍ବରୁ ଏକ ଡ୍ରୋନ ମୁତୟନ କରିଥିଲା । ଏହାପରେ ତୋପ ଓ ଳମ୍ବା ଦୂରତାକୁ ଲକ୍ଷ୍ୟ ଭେଦ କରିପାରୁଥିବା BM21 ରକେଟ ମାଡ଼ କରିଥିଲା । ତେବେ ଜାଣିଛନ୍ତି କି ଦୁଇ ଦେଶ ମଧ୍ୟରେ ସଂଘର୍ଷର କାରଣ କ’ଣ ? ଯଦି ଜାଣି ନାହାନ୍ତି, ତେବେ ଆପଣଙ୍କ ଅବଗତି ନିମନ୍ତେ କହିବାକୁ ଚାହୁଁଛୁ, ଏହି ସଂଘର୍ଷର କାରଣ ୧୧୦୦ ବର୍ଷ ପୁରଣା ଏକ ଶିବ ମନ୍ଦିରକୁ ନେଇ । ଯାହା ପ୍ରିହ ବିହେଅର ନାମରେ ପରିଚିତ । ୯ମ ଶତାବ୍ଦୀରେ ଖମେର ସମ୍ପ୍ରାଟ ସୂର୍ଯ୍ୟବର୍ମନ ଏହାକୁ ନିର୍ମାଣ କରିଥିଲେ । ହେଲେ ସମୟ ଆଗକୁ ପଢ଼ିବା ସହ ନା କେବଳ ଏହା ଆସ୍ଥାର କେନ୍ଦ୍ର ହୋଇ ରହିଲା ବରଂ ରାଷ୍ଟ୍ରବାଦ, ରାଜନୀତି ଓ ସାମରିକ ଶକ୍ତି ପ୍ରଦର୍ଶନର କେନ୍ଦ୍ର ପାଲଟି ଯାଇଛି ।
କମ୍ବୋଡିଆ ଦାବି କରୁଛି ଶିବ ମନ୍ଦିରଟି ତା’ ସୀମାରେ ରହିଛି । ହେଲେ ଥାଇଲାଣ୍ଡ କହୁଛି, ମନ୍ଦିରର କିଛି ଅଂଶ ତା’ ଦେଶର ସୁରିନ ପ୍ରାନ୍ତରେ ଆସୁଛୁ । ସୂଚନାଯୋଗ୍ୟ, ମନ୍ଦିରଟି ଡାଙ୍ଗରେକ ପାହାଡର ଏକ ରାଜନୈତିକ ସ୍ଥାନରେ ରହିଛି । ଯେଉଁଠୁ କେବେ ଖମେର ରାଜମାର୍ଗ ଯାଉଥିଲା । ଯାହା ଆଜିର ଆଙ୍ଗକୋର (କମ୍ବୋଡିଆ) ଏବଂ ଫିମାଇ (ଥାଇଲାଣ୍ଡ)କୁ ସଂଯୋଗ କରୁଥିଲା । ତେବେ ଏହି ବିବାଦ ସେବେଠାରୁ ରହି ଆସିଛି ଓ ଆଜିର ଦିନରେ ରାଜନୀତିରେ ପରିଣତ ହୋଇସାରିଛି ।
ବିବାଦର ଆରମ୍ଭ ବଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା କୁହାଯାଉଛି । ୧୯୦୪ରେ ନିଷ୍ପତ୍ତି ହୋଇଥିଲା ପ୍ରାକୃତିକ ଜଳ ବିଭାଜନ ଅନୁସାରେ ସୀମା ନିର୍ଦ୍ଧାରଣ ହେବ । ହେଲେ ୨୯୦୭ରେ ଫ୍ରାନ୍ସସ ଉପନିବେଶବାଦୀ ଯେଉଁ ନକ୍ସା ତିଆରି କଲେ ସେଥିରେ ମନ୍ଦିରକୁ କମ୍ବୋଡିଆରେ ଦେଖାଗଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା, ହେଲେ ୧୯୩୦ ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲା । ଏମିତି ସ୍ଥିତିରେ ICJ (ଅନ୍ତରାଷ୍ଟ୍ରିୟ ନ୍ୟାୟାଳୟ) ଥାଇଲାଣ୍ଡର ଦାବିକୁ ଖାରଜ କରି ଦେଇଥିଲେ ।
୧୯୬୨ରେ ଆଇସିଜେ ମନ୍ଦିର ଉପରେ ଅଧିକାର କମ୍ବୋଡିଆକୁ ଦେଇଥିଲେ । ହେଲେ ଥାଇଲାଣ୍ଡ, ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନି । ଏପରିକି ଥାଇଲାଣ୍ଡ ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି । ୨୦୦୮ରେ କମ୍ବୋଡିଆ ମନ୍ଦିରକୁ ଓ୍ବାର୍ଲ୍ଡ ହୋରିଟେଜ ସାଇଟରେ ସାମିଲ କରାଇଥିଲା । ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହେବା ଆରମ୍ଭ କରିଥିଲା । ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ମନ୍ଦିରକୁ ନେଇ ଦୁଇ ଦେଶ ଏକାଧିକ ଥର ମୁହାଁମୁହିଁ ହୋଇଛନ୍ତି । ୨୦୧୧ରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆକ୍ରଣମ, ପ୍ରତି-ଆକ୍ରମଣ ହୋଇଥିଲା । ଯେଉଁଥିରେ ଦୁଇ ଦେଶର ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ସହ ସୈନିକ ମଧ୍ୟ ସାମିଲ ଥିଲେ । ଏହି ଘଟଣାରେ କମ୍ବାଡିଆଣ ୧୯ ସୈନିକ ଓ ୩ ନାଗରିକ ଏବଂ ୍ାଇଲାଣ୍ଡର ୧୬ ସୈନିକ ଏବଂ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।
୨୦୨୫ରେ ପୁଣି ଥରେ ଏହି ଶିବ ମନ୍ଦିରକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଥାଇଲାଣ୍ଡ ଦାବି କରିଛି କମ୍ବୋଡିଆର ଏକ ଡ୍ରୋନ, ଗୁପ୍ତଚରୀ କରିବାକୁ ତା’ ସୀମା ଭିତରକୁ ପ୍ରବେଶ କରିଥିଲା, ଯାହା ଉସକାଇବା ସହ ସମାନ । ଏହାପରେ ଦୁଇ ଦେଶ ମଧ୍ୟରେ ରକେଟ ମାଡ଼ ଓ ଏୟାର ଷ୍ଟ୍ରାଇକ ହୋଇଥିବାର ସୂଚନା ଆସିଥିଲା । ଏପରିକି ଥାଇଲାଣ୍ଡ f-16 ଫାଇଟର ଜେଟର ମଧ୍ୟ ବ୍ୟବହାର କରିଛି । ସେପଟେ କମ୍ବୋଡିଆ କହିଛି, ଥାଇଲାଣ୍ଡ ବିନା କୌଣସି କାରଣରେ ଆକ୍ରମଣ କରିଛି । ଆମେ କେବଳ ଆତ୍ମରକ୍ଷା କରିଛୁ ।
ମନ୍ଦିର ପାଖରେ ଦୁଇ ଦେଶର ସେନା ମୁତୟନ ନୂଆ କଥା ନୁହେଁ । କିଛି ବର୍ଷ ପୂର୍ବେ ତୀର୍ଥଯାତ୍ରୀଙ୍କ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷର ହୋଇଛି । ହେଲେ ମନ୍ଦିର ପାଇଁ ଦୁଇ ଦେଶ ମଧ୍ୟରେ ସୈନ୍ୟ ଶକ୍ତି ପ୍ରଦର୍ଶନ ରାଷ୍ଟ୍ରବାଦର ନିଆଁକୁ ଆଡୁରି ଅଧିକ ପ୍ରଜ୍ବଳିତ କରୁଛି । ଗତ ଫେବୃଆରୀରେ କମ୍ବୋଡିଆର ସୈନିକ ମନ୍ଦିର ପରିସରରେ ପଶି ଜାତୀୟ ସଙ୍ଗୀତ ଗାନ କରିବା ସହ ଥାଇ ସେନାକୁ ଖୋଲା ଚେତାବନୀ ଦେଇଥିଲେ । ହେଲେ ଏପ୍ରିଲରେ ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ସ୍ତରରେ ବୁଝାମଣା ହୋଇଛି ।