spot_img

Latest Posts

ଜଳୁଛି ଆମେରିକା କାଲିଫର୍ଣ୍ଣିଆ ଜଙ୍ଗଲ , ପାଉଁଶ ହେଇଗଲାଣି ଅନେକ ତାରକାଙ୍କ ଦାମୀ ବଙ୍ଗଳା

ନନ୍ଦିଘୋଷ ବ୍ୟୁରୋ: ଜଳୁଛି ଆମେରିକା । ଜଙ୍ଗଲ ନିଆଁରେ ଜନବସତି । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍ସର ଜଙ୍ଗଲରେ ଲାଗିଛି ଭୀଷଣ ନିଆଁ । ନିଆଁ ଏତେ ଭୟଙ୍କର ଯେ ବର୍ଣ୍ଣନା କରିବା ଅସମ୍ଭବ । ବର୍ତ୍ତମାନ ସୁଦ୍ଧା ନିଆଁରେ ଜଳିପୋଡି ପାଉଁଶ ହେଇଗଲାଣି ୨୮ହଜାର ଏକର ଜମି ସମେତ ଅନେକ ତାରକାଙ୍କ ଦାମୀ ବଙ୍ଗଳା । ନିଆଁରେ ପୋଡି ୫ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।  ଏହି ଅଗ୍ନିକାଣ୍ଡ ଯୋଗୁଁ ୨ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି ।  ପ୍ରବଳ ଅଗ୍ନିକାଣ୍ଡ ଯୋଗୁଁ ପ୍ୟାରିସ୍ ହିଲଟନ୍ ସମେତ ଅନେକ ତାରକାଙ୍କ ବଙ୍ଗଳା ପୋଡି ପାଉଁଶ ହୋଇଯାଇଛି ଏବଂ ନିଆଁରୁ ବର୍ତ୍ତିବା ପାଇଁ ଏକ ଲକ୍ଷରୁ ଅଧିକ ଲୋକ ନିଜ ଘର ଛାଡିଛନ୍ତି । ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ହୁତୁହୁତୁ ହେଇ ଜଳୁଛି ଆମେରିକା । ଲସ୍ ଆଞ୍ଜେଲ୍ସର ଅଧିକାଂଶ ଜଙ୍ଗଲରେ କାୟା ମେଲାଇଛି ନିଆଁ । ନିଆଁ ପ୍ରଥମେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଲାଗିଥିଲା । ଦେଖୁ ଦେଖୁ କାଲିଫର୍ଣ୍ଣିଆର ଜଙ୍ଗଲକୁ ବ୍ୟାପିଗଲା ନିଆଁ । ଲସ୍ ଆଞ୍ଜେଲ୍ସରେ ଥିବା ହଲିଉଡ୍ ସହରକୁ ମଧ୍ୟ ନିଆଁ କବଜା କରି ନେଇଛି । ହଲିଉଡ୍ ତାରକାଙ୍କ ଅଲିଶାନ ବଙ୍ଗଳା ମଧ୍ୟ ନିଆଁରେ ଭସ୍ମୀଭୂତ ହୋଇଛି । ସାଧାରଣ ଲୋକଙ୍କ ଶତାଧିକ ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥିତିକୁ ନଜରରେ ରଖି ଏକ ଲକ୍ଷରୁ ଅଧକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଇବା ପାଇଁ ଜାରି ରହିଛି ଉଦ୍ୟମ । ପ୍ରବଳ ପବନ ବୋହୁଥିବାରୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଏକ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ସ୍ଥାନୀୟ ପ୍ରଶାସନ ସହ ସେନା ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପାସାଡେନା ନିକଟରେ ଅଲ୍‌ତାଡେନାରେ ପ୍ରାୟ ୨ ହଜାର ଏକର ଜମିରେ ବ୍ୟାପିଛି ନିଆଁ । ଲସ୍ ଏଞ୍ଜଲ୍ସର ଉତ୍ତର-ପଶ୍ଚିମ ସୋନା ଫର୍ଣ୍ଣାଡୋ ଘାଟିର ସିଲମାରେ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ପ୍ରାୟ ୫ଶହ ଏକର ଅଞ୍ଚଳ ନିଆଁର ଆଁ ଭିତରକୁ ଆସିଛି ।

ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁ ରେ ହଲିଉଡ୍‌ର ବହୁ ସେଲିବ୍ରିଟିଙ୍କ କୋଠାବାଡ଼ି ଜଳି ଧ୍ୱଂସ ହୋଇଯାଇଛି। ଗୁରୁବାର ବିଲ୍ଲି କ୍ରିଷ୍ଟାଲ, ପ୍ୟାରିସ୍‌ ହିଲ୍‌ଟନ୍‌ ଓ ମେଣ୍ଡି ମୁରିଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନେତା ବାସଚ୍ୟୁତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଲକ୍ଷାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାର କ୍ଷୟକ୍ଷତି ୫୨ ରୁ ୫୭ ବିଲିୟନ ଡଲାର ମଧ୍ୟରେ ଆକଳନ କରାଯାଇଛି। ଏହାକୁ କାଲିଫର୍ନିଆ ଇତିହାସରେ ସବୁଠୁ ଭୟଙ୍କର ବିପର୍ଯ୍ୟୟ ବୋଲି କୁହାଯାଉଛି। ସେପଟେ ଭୀଷଣ ଅଗ୍ନିକାଣ୍ଡକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ବିଦେଶ ଗସ୍ତକୁ ରଦ୍ଦ କରିଛନ୍ତି । ଅନ୍ୟପଟେ ନିବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Latest Posts

Don't Miss