ନିର୍ବାଚନ ପରବର୍ତ୍ତୀ ହିଂସାର ଯାଞ୍ଚ କରିବ ସିବିଆଇ, ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିଷ୍ପତ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିପାରେ। ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ । ନିର୍ବାଚନ ପରେ ହୋଇଥିବା ହିଂସାର ତଦନ୍ତ ପାଇଁ ହାଇକୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କହିଛନ୍ତି।

ଏହି ସମୟରେ କୋର୍ଟ କହିଛନ୍ତି ଯେ କେବଳ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗର ତଦନ୍ତ ସିବିଆଇ କରିବ। ଅନ୍ୟ ସମସ୍ତ ଅଭିଯୋଗ ଗୁଡିକୁ
ଏସଆଇଟି ତଦନ୍ତ କରିବ। ପଶ୍ଚିମବଙ୍ଗର ଆଇପିଏସ୍ ଅଧିକାରୀଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯିବ ଏବଂ କୋର୍ଟଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ହେବ ବୋଲି କହିଛନ୍ତି।

ପୀଡିତଙ୍କ କ୍ଷତିପୂରଣ ଆବେଦନ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସିବିଆଇ ଏବଂ ଏସଆଇଟିକୁ ୬ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪ରେ ହେବ। ତେବେ ଏହି ମାମଲାର ଶୁଣାଣି କାର୍ଯ୍ୟନିର୍ବାହୀ ଚିଫ୍ ଜଷ୍ଟିସ୍ ରାଜେଶ ବିନ୍ଦଲ, ଜଷ୍ଟିସ ଆଇପି ମୁଖାର୍ଜୀ, ଜଷ୍ଟିସ ହରିଶ ଟଣ୍ଡନ, ଜଷ୍ଟିସ ସୋମେନ ସେନ ଏବଂ ଜଷ୍ଟିସ ସୁବ୍ରତ ତାଲୁକଦାରଙ୍କ ଏକ ବେଞ୍ଚ କରିଛନ୍ତି।

ଏହାପୂର୍ବରୁ ଖଣ୍ଡପୀଠ ଜାତୀୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କୁ ‘ନିର୍ବାଚନୀ ପରବର୍ତ୍ତୀ ହିଂସା’ରେ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ୟାନେଲ ଏହାର ରିପୋର୍ଟରେ ମମତା ବାନାର୍ଜୀ ସରକାରଙ୍କୁ ଦାୟୀ କରିଛି । ଏପରିକି ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ଅପରାଧର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିଥିଲା।

 

Leave a Reply