ଫ୍ଲିପକାର୍ଟର ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ

1 min read

ନୂଆଦିଲ୍ଲୀ:  ଫ୍ଲିପକାର୍ଟର ଏକ ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ । ବିଗ୍ ବିଲିୟନ ଡେଜ ସେଲକୁ ନେଇ ଅମିତାଭଙ୍କ ବିରୋଧରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାୟର କରିଛି  କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ଏହି ବିଜ୍ଞାପନ ବିଭ୍ରାନ୍ତିକର ଏବଂ ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ବିରୋଧୀ ବୋଲି କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ ନିକଟରେ ଦର୍ଶାଇଛି ସିଏଆଇଟି ।

ଏହି ବିଜ୍ଞାପନକୁ ତୁରନ୍ତ ହଟାଇବା ଲାଗି ଦାବି କରିଛି ସିଏଆଇଟି । ଖାଉଟି ସୁରକ୍ଷା ଆଇନ ଅନୁସାରେ ଏହି ବିଜ୍ଞାପନ ବିଭ୍ରାନ୍ତିକର ବାର୍ତ୍ତା ଦେଉଛି ଏବଂ ଫ୍ଲିପକାର୍ଟ ବିରୋଧରେ ଜୋରିମାନା ଧାର୍ଯ୍ୟ ସହ ଅମିତାଭଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ପକାଯାଇଛି । ସିଏଆଇଟି ମହାସଚିବ ପ୍ରବୀଣ ଖାଣ୍ଡେଲଓ୍ବାଲ କହିଛନ୍ତି- ଖାଉଟି ସୁରକ୍ଷା ଆଇନର ଧାରା ୨(୪୭) ଅନୁସାରେ ଭାରତର ସ୍ମାର୍ଟଫୋନ ବଜାରରେ ସେଲର ଓ ସପ୍ଲାୟରମାନଙ୍କ ଦ୍ବାରା ଉପଲବ୍ଧ ମୋବାଇଲ ଫୋନର ଦର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ।

ଗତ ସପ୍ତାହରେ ଏହି ବିଜ୍ଞାପନକୁ ନେଇ ସିଏଆଇଟି କ୍ଷୁବ୍ଧ ହୋଇଥିଲା । ଏହି ବିଜ୍ଞାପନରେ ଅମିତାଭ କହିଥିଲେ ଯେ, ଇ-କମର୍ସ ପୋର୍ଟାଲ ଦ୍ବାରା ପ୍ରଦାନ କରାଯାଉଥିବା ମୋବାଇଲ ଡିଲ୍ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ ନାହିଁ ।