‘ଜମି ପ୍ରଦାନରେ କିଛି ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ’
1 min readଭୁବନେଶ୍ୱର: ରାଜ୍ୟ ଔଷଧ ନିଗମ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର କାର୍ଯ୍ୟକାରିତା ସାଙ୍ଗକୁ ଏକ ବିଜ୍ଞାପନ ଏଜେନ୍ସିକୁ ଭୁବନେଶ୍ବର ମହାନଗର ନିଗମ ଅହେତୁକ ଅନୁକମ୍ପା ଦେଖାଇଛି । ଏନେଇ ସିଏଜି ଆପତ୍ତି ଉଠାଇଛନ୍ତି । ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । କିଛି ଶିଳ୍ପସଂସ୍ଥାକୁ ଜମି ପ୍ରଦାନରେ ମଧ୍ୟ ଅନୁଗୁଳ ଜିଲ୍ଲାପାଳ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଯାଇଛି । ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜକୁ ମାଗଣା ଔଷଧ ଯୋଗାଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଔଷଧ ନିଗମର କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ସନ୍ଦେହ । ବିଭିନ୍ନ ଔଷଧ, ଚିକିତ୍ସା ଉପକରଣ ଓ ଆସବାବପତ୍ର ଚୂଡ଼ାନ୍ତ କରିବାରେ ଅଯଥା ବିଳମ୍ବ ହୋଇଛି ।
୨୦୧୬ରୁ ୨୦୧୯ ମଧ୍ୟରେ ଦେଖାଦେଇଥିବା ଏହି ତ୍ରୁଟିବିଚ୍ୟୁତି ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଏହି ସମୟ ମଧ୍ୟରେ ଆବଶ୍ୟକ ପରିମାଣରୁ କମ୍ ଯୋଗାଣ ଯୋଗୁଁ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ । ୨୦୧୮-୧୯ ମଧ୍ୟରେ ବଜାରରୁ ୨.୨୪ କୋଟି ଟଙ୍କାର ଔଷଧ କିଣାଯାଇଥିବା ସିଏଜି ଦର୍ଶାଇଛନ୍ତି । ସେହିପରି ଇ-ନିରାମୟ ସଫ୍ଟୱେୟାର ମାଧ୍ୟମରେ ଔଷଧ ବଣ୍ଟନ, ବ୍ୟବହାର ଓ ଔଷଧ ଷ୍ଟକ୍ର ସଠିକ୍ ପରିଚାଳନା ହୋଇନଥିବାରୁ ୪.୧୮ କୋଟି ଟଙ୍କାର ଔଷଧର ବୈଧତା ସରିଯାଇଥିଲା । ସେହିପରି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ରୋଜଗାର ଯୋଜନାରେ ମଧ୍ୟ ଅନିୟମତାର ଗନ୍ଧ ବାରିଛି ସିଏଜି । ତାଲିମ୍ ସମୟରେ ୫୫ ପ୍ରତିଶତ ପ୍ରାର୍ଥୀ ନିଯୁକ୍ତି ପାଇସାରିଥିବାରୁ ନିଯୁକ୍ତି ସଂଖ୍ୟାର ବିଶ୍ବାସନୀୟତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସିଏଜି । ଏପରିକି ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବ୍ୟାଙ୍କ ବିବରଣୀ ଓ ବ୍ୟାଙ୍କ ପାସ୍ବୁକର ପ୍ରାମାଣିକ ତଥ୍ୟ ମଧ୍ୟ ସନ୍ଦେହଜନକ ଥିବା ସିଏଜି ଦର୍ଶାଇଛନ୍ତି ।
ଭିଏଫଏସ ଗ୍ଲୋବାଲ ସର୍ଭିସେସ ଲିମିଟେଡର ବକେୟା ଅର୍ଥକୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବ୍ୟାଜାପ୍ତ ନକରିବା ଦ୍ବାରା ୨.୬୨ କୋଟି ଟଙ୍କା ଅଯଥା ଖର୍ଚ୍ଚ ଉପରେ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ବର ମହାନଗର ନିଗମ ଏକ ବିଜ୍ଞାପନ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଟିମ ଆଡ୍ମାର୍କ ନାମକ ଏକ ବିଜ୍ଞାପନ ଏଜେନ୍ସି ଲାଇସେନ୍ସ ଦେୟ ଓ ସୁଧ ପ୍ରଦାନରେ ଅବହେଳା କରିଥିଲେ ବି ବିଏମସି କାହିଁକି ଚୁକ୍ତିନାମା ରଦ୍ଦ କରିନଥିଲେ ସେନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଏହି ବିଜ୍ଞାପନ ଏଜେନ୍ସି ଠାରୁ ୧୩କୋଟି ଟଙ୍କା ଆଦାୟ ନହୋଇ ପଡ଼ିରହିଛି ।
ସେହିପରି ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାରକୁ ଅନୁଗୁଳ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କମ୍ପାନୀକୁ ଜିଲ୍ଲାପାଳ ବଜାର ଦର ଠାରୁ ୭୨.୯୫ ଲକ୍ଷ ଟଙ୍କା ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ । ଏଥିରେ ୨.୩୦ କୋଟି ଟଙ୍କାର ଅନୁକମ୍ପା ଦେଖାଯାଇଥିବା ସିଏଜି ଦର୍ଶାଇଛନ୍ତି ।