କାଲିଠାରୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର ସବୁ କୋର୍ଟରେ କାର୍ଯ୍ୟ

1 min read

ସମ୍ବଲପୁର: ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାର ସବୁ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହେବ । ଆଜି ସମ୍ବଲପୁରରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବା ସିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଗକୁ ମଧ୍ୟ କୌଣସି ସମୟରେ କୋର୍ଟ ବନ୍ଦ କରାନଯାଇ ସହଯୋଗ କରାଯିବ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ଧରି ଓକିଲମାନେ ଆନ୍ଦୋଳନ ଚଳାଇଥିଲେ ।ଫଳରେ ବିଭିନ୍ନ କୋର୍ଟ କଚେରୀ ଅଚଳ ହୋଇଯାଇଥିଲା । ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସୁପ୍ରିମ୍‌କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ ଆନ୍ଦୋଳନରତ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓକିଲ ଆନ୍ଦୋଳନ ଚାଲିଥିବା ଜିଲ୍ଲାଗୁଡ଼ିକର ବିଭିନ୍ନ ଅଦାଲତରୁ ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।ଗତ ସପ୍ତାହରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି-ସିଏସି ପକ୍ଷରୁ କେନ୍ଦ୍ରୀୟ ବାର୍‌ କାଉନ୍‌ସିଲ ଓ ସୁପ୍ରିମ୍‌କୋର୍ଟରେ ପକ୍ଷ ରଖାଯିବା ସହ ଦସ୍ତାବିଜ ଓ ସତ୍ୟପାଠ ଦାଖଲ କରାଯାଇଥିଲା । ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କଲେ ଦାବି ବିଚାର କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ । ଏହାପରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି -ସିଏସି ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟ ସ୍ୱାଭାବିକ ହେବ ।

Leave a Reply