ଗୁଜୁରାଟରେ ଦୁର୍ଘଟଣା, ବନ୍ଦ ହେଲା ଧବଳେଶ୍ବରଙ୍କ ଝୁଲା ପୋଲ

କଟକ: ଆଗକୁ ଆସୁଛି ବଡ଼ଓଷା। ପବିତ୍ର ଧବଳେଶ୍ବରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ଯାହାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ଝୁଲାପୋଲ ବନ୍ଦ ରଖିଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଏହାର ଅତିଶୀଘ୍ର ଯାଞ୍ଚ ସହ ମରାମତି କରିବାକୁ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ ।

ଗତକାଲି ଏକ ବୈଷୟିକ ଟିମ ପୋଲର ଯାଞ୍ଚ କରିଛି । ଆଜି ମଧ୍ୟ ଝୁଲାପୋଲର ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ସାମଲଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ୍ ପହଞ୍ଚିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସେପଟେ ମରାମତି ପାଇଁ ଗୋଟିଏ ଦିନ ବନ୍ଦ ରହିବ ଝୁଲାପୋଲ । ଆସନ୍ତାବର୍ଷକୁ ନୂଆ ବ୍ରିଜ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

କଟକ ଜିଲ୍ଲା ଆଠଗଡରେ ଥିବା ଧବଳେଶ୍ବରଙ୍କ ଦର୍ଶନ କରିବା ପାଇଁ ଝୁଲାପୋଲ ହିଁ ଏକମାତ୍ର ମାଧ୍ୟମ । ୨୦୦୬ ମସିହାରେ ଉଦଘାଟନ ହୋଇଥିଲା ଏହି ଝୁଲାପୋଲ । ହେଲେ ଦୀର୍ଘ ଦିନ ଯୋଗୁ ପୋଲଟି ପୂରୁଣା ହୋଇଯାଇଛି । ଫଳରେ ପୋଲର ଧାରଣ କ୍ଷମତା ଦୁଇ ଶହକୁ ଖସିଯାଇଛି । ଝୁଲାପୋଲ ଦୁର୍ବଳ ହେଉଥିବାରୁ ଭୟଭୀତ ଅବସ୍ଥାରେ ଶ୍ରଦ୍ଧାଳୁ ମନ୍ଦିର ଯାଉଥିବା କହିଛନ୍ତି । କେବଳ ବଡ଼ଓଷା ବ୍ରତଧାରୀ ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ସେପଟେ କିଭଳି ଭାବେ ବାବାଙ୍କ କାର୍ତ୍ତିକ ମାସ ଯାତ୍ରାକୁ ସୁରୁଖୁରୁରେ କରି ହେବ ସେନେଇ ପ୍ରଶାସନକୁ ପୂଜକ ସମିତି ପକ୍ଷରୁ ନିବେଦନ କରାଯାଇଛି ।