କ୍ଯାବିନେଟରେ କିଛି ନୂଆ ନିଷ୍ପତ୍ତି ନାହିଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଗତ ବିଜେଡି ସରକାର ଯାହା କରିଥିଲେ ଆଜି ବିଜେପି ସରକାର ତାହା କରିଛନ୍ତି । ଆଜି ବସିଥିବା କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ପ୍ରଥମ ପ୍ରସ୍ତାବଟି ହେଉଛି ସର୍ବନିମ୍ନ ମଜୁରୀ ବୃଦ୍ଧି ।  କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ମାର୍ଚ୍ଚ ମାସରେ ବିଜେଡି ସରକାର ସର୍ବନିମ୍ନ ମଜୁରୀ ଯାହା ଧାର୍ଯ୍ୟ କରିଥିଲେ ତାକୁ ପୁଣି ବିଜେପି ସରକାର କ୍ୟାବିନେଟ ନିଷ୍ପତ୍ତି ବୋଲି ଘୋଷଣା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନବୀନଙ୍କ ନିଷ୍ପତ୍ତି ମୋହନଙ୍କ ମୋହର । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦୋହରାଇଲେ । ବିଜେଡି କହିଲା, କ୍ଯାବିନେଟରେ ନାହିଁ କିଛି ନୂଆ ନିଷ୍ପତ୍ତି । କେବେ ମିଳିବ ବର୍ଦ୍ଧିତ ମଜୁରୀ କହିଲେନି ସରକାର । ୨୦୨୪ ମାର୍ଚ୍ଚ ୧୪ରେ ଶ୍ରମ ବିଭାଗର ଏ ହେଉଛି ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ରାଜ୍ୟର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା । ଏ ସମ୍ପର୍କରେ ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଥିଲା । ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି କ୍ଯାଟେଗୋରୀରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ ପୂର୍ବ ସରକାର । ପୂର୍ବ ସରକାରଙ୍କ ଶ୍ରମିକମାନଙ୍କ ପାଇଁ  ଏହି ବଡ଼ ଘୋଷଣା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବଡ଼ ଉପହାର ଥିଲା । ତେବେ ନୂଆ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ପୁନର୍ବାର ଏହି ଘୋଷଣା କରିଛନ୍ତି  । ହେଲେ ଏହି ବର୍ଦ୍ଧିତ ଟଙ୍କା କେବେଠାରୁ ଶ୍ରମିକମାନଙ୍କୁ ମିଳିବ ସେ ନେଇ କିଛି ସ୍ପଷ୍ଟ ଘୋଷଣା କରିନାହାନ୍ତି ରାଜ୍ୟ ସରକାର ।

ଆଜି ରାଜ୍ୟ କ୍ୟାବିନେଟ ୫ଟି ପ୍ରସ୍ତାବକୁ ମୋହର ମାରିଛି । ମାର୍ଚ୍ଚ ମାସରେ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରି ପୂର୍ବ ସରକାର ଶ୍ରମିକଙ୍କ ହିତ ପାଇଁ କାର୍ଯ୍ୟ କରୁଥିଲେ । ହେଲେ ନୂଆ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନକରି ପୂର୍ବ ସରକାରଙ୍କ ଘୋଷଣାକୁ କ୍ୟାବିନେଟ ମୋହର ମାରିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନୂଆ ସରକାର କେବଳ ରଙ୍ଗ, ନାଁ ଘୋଷଣାରେ ସୀମିତ ନରହି ଲୋକଙ୍କ ହିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣାକୁ ନେଇ  ସରକାରଙ୍କୁ ଘେରିଛି ବିଜେଡି । ନୂଆ ସରକାର ପୂର୍ବ ସରକାରଙ୍କ ଘୋଷଣାକୁ ଘୋଷଣା କରି କେବଳ ବାହାବାହା ନେବାକୁ ଚାହୁଁଥିବା ବିଜେଡି ଅଭିଯୋଗ କରିଛି । କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି  ।

ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ କ୍ୟାବିନେଟ ମୋହରକୁ ନେଇ ଉଠିଛି ପ୍ରଶ୍ନ । ସୋସିଆଲ ମିଡିଆରେ ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜନତା । ସେପଟେ ନୂଆ ସରକାର ଘୋଷଣା ସର୍ବସ୍ବ ନହୋଇ ଓଡ଼ିଶାବାସୀଙ୍କ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ବିରୋଧୀ  ।