ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ସରକାର ଯେଉଁ ଭଳି ବଦାନମ ହେଉଛନ୍ତି, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ବୋଲି ଗତ କିଛି ଦିନ ହେଲା ଆଲୋଚନା ହେଉଥିଲା । ହେଲେ ବଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ବିଭିନ୍ନ ମହଲରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି ହେଉଛି ।
ସେହିଭଳି ପୂର୍ବରୁ ରାଜ୍ୟରେ ଆଳୁ ସଙ୍କଟ ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଭ୍ରାନ୍ତିକର ବୟାନକୁ ନେଇ ମଧ୍ୟ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଥିଲେ । ରଥଯାତ୍ରା ସମୟରେ ହୋଇଥିବା ବିଭ୍ରାଟ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଥିଲା । ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମଠାରୁ ଆରମ୍ଭ କରି ଏବେ ବଳଙ୍ଗାରେ ନାବାଳିକାକୁ ପୋଡି ମାରି ଦେବାକୁ ଉଦ୍ୟମ ପର୍ଯ୍ୟନ୍ତ ସବୁଠି ଆଇନ ଶୃଙ୍ଖଳା ଓ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଶ୍ବ ଦରବାରରେ ବି ଓଡିଶା ନିନ୍ଦିତ ହୋଇଛି । ନିଜ ଦଳରୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ନିଜ ଭାବମୂର୍ତ୍ତିର ସୁରକ୍ଷା ପାଇଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସାଙ୍ଗକୁ ସମ୍ପ୍ରସାରଣ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।
ଏମିତି ବି ଏବେ ବି ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀପଦ ଖାଲି ପଡିଛି । ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛଅ ଛଅଟି ବିଭାଗ ରହିଛି । ଜଣେ ମନ୍ତ୍ରୀଙ୍କ ପାଖରେ ୩/୪ଟି ଲେଖାଏଁ ବିଭାଗ ରହିଛି । ତେଣୁ କ୍ଷମତା ବିକେନ୍ଦ୍ରୀକରଣ ସାଙ୍ଗକୁ ବିଭିନ୍ନ ସ୍ତରରେ ସରକାରୀ ବିଫଳତାକୁ ଢାଙ୍କିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି ।