ଏବେ ୧୮ ନୁହେଁ, ୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ

ନୂଆଦିଲ୍ଲୀ: ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ଏଣିକି ୧୮ ନୁହେଁ ୨୧ରେ ହେବ ବାହାଘର । ବିବାହ ପାଇଁ ନ୍ୟୂନତମ ବୟସ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ ମୋହର ମାରିଥିବା ବେଳେ ଚଳିତ ଶୀତ ଅଧିବେଶନରେ ସଂସଦରେ ବିଲ୍‌ ଗୃହୀତ ହୋଇପାରେ । ପୁଅଙ୍କ ବିବାହ ବୟସ ୨୧ ଥିବା ବେଳେ ଝିଅଙ୍କ ବାହାଘର ବୟସ ୧୮ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ଗତବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଝିଅମାନଙ୍କୁ କୁପୋଷଣକୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଠିକ୍ ସମୟରେ ହେବା ଆବଶ୍ୟକ ।

ଏ ବିଷୟରେ ବିଚାର କରିବା ଲାଗି ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ । ନୀତି ଆୟୋଗର ସଦସ୍ୟ ଭି.କେ ପଲ ଏହି ଟାସ୍କ ଫୋର୍ସର ସଦସ୍ୟ ରହିଥିଲେ । ଏହି ଟାସ୍କ ଫୋର୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସ ଗତ ବର୍ଷ ଜୁନ ମାସରେ ଗଠନ ହୋଇଥିଲା ଏବଂ ଗତ ବର୍ଷ ଡିସେମ୍ବର ମାସରେ ଏହି ଟାସ୍କ ଫୋର୍ସ ତା’ର ରିପୋର୍ଟ ଦାଖଲ କରିଥିଲା ।

ଏହି ଟାସ୍କ ଫୋର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା। ଏହା ବ୍ୟତୀତ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା।

Leave a Reply