CAA ବିରୋଧରେ ସୁପ୍ରିମକୋର୍ଟରେ ମୁସଲିମ୍ ଲିଗ୍

1 min read

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ଦେଶରେ CAA ଲାଗୁ କରିବା ପରେ ଏହାକୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଆସାମରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁସଲିମ୍ ଲିଗ ପକ୍ଷରୁ ଦାୟର ପିଟିସନରେ ସିଏଏରେ ଥିବା ନିୟମକୁ କାର୍ଯ୍ୟକାରୀ କରାଯିବା ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି । ମୁସଲିମ ଲିଗ ପକ୍ଷରୁ କୁହାଯାଇଛି, ସିଏଏ ଅସମ୍ବିଧାନିକ ଓ ଏହା ମୁସଲମାନଙ୍କ ବିରୋଧରେ ଭେଦଭାବ ସୃଷ୍ଟି କରୁଛି ।

ମୁସଲିମ ଲିଗ ପକ୍ଷରୁ ଦିଆଯାଇଥିବା ପିଟିସନରେ କୁହାଯାଇଛି, ସିଏଏ, ଧାର୍ମ ଆଧାରରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଅନୁଚିତ ଲାଭ ଦେଉଛି । ଯାହା ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୫କୁ ଉଲ୍ଲଂଘନ କରୁଛି । ଯାଚିକାରେ ଏହା ମଧ୍ୟ କୁହାଯାଇଛି, ଏହାକୁ ବିରୋଧ କରି ପ୍ରାୟ ୨୫୦ ପିଟିସନ ସୁପ୍ରିମକୋର୍ଟରେ ରହିଛି । ଯଦି ସିଏଏକୁ ସମ୍ବିଧାନିକ ବିବେଚନା କରାଯିବ ତେବେ ଏହା ଅସାମାନ୍ୟ ସ୍ଥିତି ସୃଷ୍ଟି କରିବ । ଯେଉଁ ଲୋକଙ୍କୁ ଅଧିନିୟମ ଓ ନିୟମ ଅନୁସାରେ ନାଗରିକତା ମିଳିଛି, ସେମାନଙ୍କ ନାଗରିକତାକୁ ରଦ୍ଦ କରିବାକୁ ପଡ଼ିବ । ଯେପର୍ଯ୍ୟନ୍ତ ନ୍ୟାୟାଳୟ ମାମଲାର ଶୁଣାଣି କରିନାହାନ୍ତି ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ସହମତି ନହୋଇଛି ସେ ପର୍ଯ୍ୟନ୍ତ ସିଏଏ ଓ ଲାଗୁ ନିୟମକୁ କାର୍ଯ୍ୟକାରୀ ହେବାକୁ ଦିଆନଯାଉ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସୋମବାର ଦେଶରେ ସିଏଏ ଲାଗୁ କରିଛନ୍ତି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଅଣ-ମୁସଲମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ଏଥିରେ ହିନ୍ଦୁ, ଇସାଇ, ସିଖ, ବୈଦ୍ଧ, ଜୈନ, ଫାର୍ସୀ ସମୂଦାୟର ଲୋକଙ୍କୁ ଭାରତର ନାଗରିକତା ମିଳିପାରିବ ।  ସଂସଦର ଉଭୟ ଗୃହରେ ୨୦୧୯ ଡିସେମ୍ବର ୧୧ ତାରିଖରେ ସିଏଏ ପାରିତ ହୋଇଥିଲା । ଏହାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇଥିଲେ । ଏହି ନିୟମ ସେମାନଙ୍କ ଉପରେ ଲାଗୁ ହେବ ଯେଉଁମାନେ ୨୦୨୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଛନ୍ତି ।