ସିଏଏକୁ ନେଇ ବିରୋଧ ଜାରି : ବନ୍ଧା ହେଲେ ୧୦ ବିକ୍ଷୋଭକାରୀ

1 min read

. ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ପୋଲିସର ଜୋରଦାର ପ୍ରୟାସ

. ଦରିୟାଗଞ୍ଜରେ ୧୦ ପ୍ରଦର୍ଶନକାରୀଙ୍କୁ ଗିରଫ କଲା ପୋଲିସ

ନୂଆଦିିଲ୍ଲୀ : ନାଗରିରକତା ସଂଶୋଧନ ଆଇନ୍ (CAA) ବିରୋଧରେ ସାରା ଦେଶରେ ବିକ୍ଷୋଭ ଉଗ୍ର ରୂପ ନେଉଛି । ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଶୁକ୍ରବାର ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଛି ।

ସୂଚନା ଅନୁଯାୟୀ, ବିକ୍ଷୋଭ ଚାଲିଥିବାବେଳେ ଥାନା ପାଖରେ ଥିବା ଏକ ଗାଡ଼ିରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ପ୍ରଦର୍ଶନକାରୀ । ଫଳରେ ପୋଲିସ ପାଣି ମାଡ଼ କରି ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାକୁ ବିରୋଧ କରି ସେଠାରେ ଥିବା କିଛି ବ୍ୟକ୍ତି ଦିଲ୍ଲୀ ପୋଲିସର ମୁଖ୍ୟାଳୟ ଘେରାଉ କରିଥିଲେ । ହେପାଜତରେ ନିଆଯାଇଥିବା ପ୍ରଦର୍ଶନକାରୀଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ମୁଖ୍ୟାଳୟ ସମ୍ମୁଖରେ ସେମାନେ ଧାରଣାରେ ବସିବେ ବୋଲି କହିଥିଲେ ।

ପରେ ଶୁକ୍ରବାର ରାତି ପ୍ରାୟ ୧୦:୩୦ରେ ଦିଲ୍ଲୀ ଚିଫ୍ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ସେମାନଙ୍କ ମଧ୍ୟରୁ ୮ ନାବାଳକଙ୍କୁ ଛଡ଼ା ଯାଇଥିଲା ।

ଅନ୍ୟପଟେ ଦରିୟାଗଞ୍ଜ ପୋଲିସ ଷ୍ଟେସନରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ପୋଲିସ ହେପାଜତକୁ ନେଇଥିବା ୧୬ ଜଣଙ୍କୁ ଛାଡ଼ି ଦେଇଛି  ଏବଂ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଜାମା ମସଜିଦରେ ନମାଜ ସାରି ବହୁ ସଂଖ୍ୟକ ଲୋକ ନାଗରିକତା ନିୟମ ବିରୋଧରେ ବିକ୍ଷୋଭ କରିବା ପାଇଁ ଯନ୍ତର ମନ୍ତର ମଇଦାନ ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ଇଣ୍ଡିଆ ଗେଟ୍ ପାଖରେ ସେମାନଙ୍କୁ ଅଟକାଇବାରୁ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।

ଅନ୍ୟପଟେ ଗୁରୁବାର ଦିନ ସୀମାପୁରୀ ଅଞ୍ଚଳରେ ହିଂସା କାରଣରୁ ଧାରା ୮୧୬/୧୯ ଅନୁସାରେ ୧୧ ଜଣଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି ।

Leave a Reply