ଏବିପି-ସି ଭୋଟର ସର୍ଭେ: ଗାନ୍ଧି ପରିବାର ବାହାରୁ ଅଧ୍ୟକ୍ଷ ହେଲେ କଂଗ୍ରେସକୁ ମିଳିବ ଲାଭ !

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଉ ୧୮ ମାସ ସମୟ ବାକି ଅଛି । ପ୍ରମୁଖ ଦଳ ମାନେ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ଜନତାଙ୍କ ମୁଡକୁ ନେଇ ଏବିପି ନିଉଜ ଓ ସି ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ସାମ୍ନାକୁ ଆସିଛି । ଏହି ସର୍ଭେରେ ୬ ହଜାର ୨୨୨ ଲୋକମାନଙ୍କ ମତ ନିଆଯାଇଛି । ଏହି ସର୍ଭେରେ ପ୍ରଶ୍ନ କରାଯାଇଥିଲା ଯେ, କଣ ଗାନ୍ଧି ପରିବାର ବାହାରୁ ଦଳର ଅଧ୍ଯକ୍ଷ ହେଲେ କଂଗ୍ରେସକୁ ଲାଭ ହେବ ନା କ୍ଷତି? ଏହାର ଜବାବରେ ୬୪ ପ୍ରତିଶତ ଲୋକ କହିଛନ୍ତି ଲାଭ ହେବ ଏବଂ ୩୬ ପ୍ରତିଶତ କ୍ଷତି ହେବ ବୋଲି କହିଛନ୍ତି ।

ପ୍ରକାଶ ଥାଉକି, ଦୁଇ ସପ୍ତାହ ପୂର୍ବେ କଂଗ୍ରେସ କାର୍ଯ୍ୟ ସମିତି (ସିଡବ୍ଲୁସି) ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନର ତାରିଖ ଘୋଷଣା କରିଥିଲା । ମତଦାନ ୧୭ ଅକ୍ଟୋବରରେ ହେବାକୁ ଥିବା ବେଳେ ଫଳାଫଳ ୧୯ ଅକ୍ଟୋବରରେ ଘୋଷଣା କରାଯିବ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳକୁ ନେତୃତ୍ୱ ନେବା ସମ୍ପର୍କରେ କହିଛନ୍ତି ଯେ, ଯେବେ ନିର୍ବାଚନ ହେବ ସେବେ ଏହା ସ୍ପଷ୍ଟ ହୋଇଯିବ ଯେ ମୁଁ କଂଗ୍ରେସ ଅଧ୍ୟକ୍ଷ ହେବି କି ନାହିଁ, ସେବେ ସୁଦ୍ଧା ଅପେକ୍ଷା କରିବାକୁ ପଡ଼ିବ ।

ଏହାରି ମଧ୍ୟରେ କଂଗ୍ରେସର ପାଞ୍ଚଜଣ ବରିଷ୍ଠ ସାଂସଦ ଦଳ ଅଧ୍ୟକ୍ଷ ପଦର ନିର୍ବାଚନ ପାଇଁ ମତଦାନ ସୂଚୀ ସାର୍ବଜନିନ କରିବାକୁ ଦାବି କରିଥିଲେ । ତେବେ ବଡ଼ ଚର୍ଚ୍ଚା ହେଉଛି ଯେ ଦୀର୍ଘ ବର୍ଷ ପରେ ଅଣ ଗାନ୍ଧି ପରିବାରରୁ କଂଗ୍ରେସକୁ ଅଧ୍ୟକ୍ଷ ମିଳିବ । ଏହାଦ୍ୱାରା କଂଗ୍ରେସ ଦଳକୁ ଲାଭ ହେବାର ମଧ୍ୟ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରାହୁଲ ଗାନ୍ଧି କଂଗ୍ରେସର ଭାରତ ଯୋଡ଼ ଅଭିଯାନକୁ ନେତୃତ୍ୱ ନେଉଛନ୍ତି । ଅନେକ କହିଛନ୍ତି ଯେ, ନିଜ ଦଳରେ ଛବି ସୁଧାରିବା ପାଇଁ ରାହୁଲ ଏହି ଭାରତ ଯୋଡ଼ରେ ସାମିଲ ହୋଇଛନ୍ତି । ଦଳ ମଧ୍ୟ ତାଙ୍କୁ ଆଗାମୀ ଅଧ୍ୟକ୍ଷ କରିବା ପାଇଁ ଯୋଜନା କରୁଛି । ଏପରି ସ୍ଥିତିରେ କିଏ ଅଧ୍ୟକ୍ଷ ହେବ ସେନେଇ କଳ୍ପନା ଜଳ୍ପନା ଜାରି ରହିିଛି ।