ନିର୍ବାଚନରେ ଅପାର ସଫଳତା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ଜଣାଗଲା ଧନ୍ୟବାଦ

ଭୁବନେଶ୍ୱର: ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟଳୟରେ ଧନ୍ୟବାଦ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଁ ଦିନ ରାତି ଏକ କରି କାମ କରିଥିବା ଯୁବ ବିଜେଡି ଓ ଛାତ୍ର ବିଜେଡିର ଜିଲ୍ଳା ସଭାପତି ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦିଆଯାଇଛି । ଯେଉଁଥିରେ ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବିଜେଡି ବିଧାୟକ ତଥା ବିଜେଡି ଯୁବ ଓ ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ । ସମସ୍ତେ ଛାତ୍ର ଓ ଯୁବ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ଅଗମୀ ଦିନରେ ଦଳ ପାଇଁ ଏଭଳି କାମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ସଦ୍ୟ ସମାପ୍ତ ପୌର ଓ ପଞ୍ଚାୟତ ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିଛି ବିଜେଡି । ଏଥିଲାଗି ପୂର୍ବରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ରାଜ୍ୟର ବିକାଶଧାରାରେ ସାମିଲ ହେବାକୁ ଦେଲେ ଆହ୍ୱାନ । କର୍ମୀ ଓ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ଦେଇଥିବାରୁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଲୋକଙ୍କ ଉତ୍ତମ ସେବା ଯୋଗାଇବାରେ ଆମେ ଆଗକୁ କାମ ଜାରି ରଖିବୁ । ନିର୍ବାଚନରେ ଅକ୍ଲାନ୍ତ ପରିର୍ଶମ କରି ଦଳକୁ ଜିତାଇଥିବାରୁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ ।’

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ, ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ଓ୍ବାର୍ଡସ୍ତରରୁ ଲୋକଙ୍କ ଭଲ ପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି । ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢ଼ିବା । ’

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଥିଲେ । ରାଜ୍ୟବାସୀଙ୍କ ଆଶୀର୍ବାଦ ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି ।