ସୁଧୁରୁନି ବାଏଜୁ ଆର୍ଥିକ ସ୍ଥିତି: ଅଫିସ ପରେ ବନ୍ଦ ହେଲା ୩୦ ଟ୍ୟୁସନ୍ ସେଣ୍ଟର

ନୂଆଦିଲ୍ଲୀ: ବାଏଜୁର ଆର୍ଥିକ ସ୍ଥିତିରେ ସୁଧାର ଆସିବାର ନାଁ ନେଉନାହିଁ । ଆର୍ଥିକ ସଙ୍କଟରେ ଗତି କରୁଥିବା କମ୍ବାନୀ ପ୍ରଥମେ ଆଞ୍ଚଳିକ କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ ଏବେ ଟ୍ୟୁସନ୍ ସେଣ୍ଟର ବନ୍ଦ କରିବା ଆରମ୍ଭ କରିଦେଇଛି । ଖର୍ଚ୍ଚ କାଟ କରିବାକୁ ବାଏଜୁ ୩୦ ସେଣ୍ଟର ବନ୍ଦ କରି ଦେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ୨୬୨ ହାଇବ୍ରିଡ ମଡେଲରେ କମ୍ପାନୀ ଚାଲିବ । ଏହାସହ ଅଧିକାଂଶ ସେଣ୍ଟରକୁ ଲାଭ ଦାୟକ କରିବାକୁ ଟାର୍ଗେଟ ରଖାଯାଇଛି ।

ବାଏଜୁ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି, ଆମ ଶିକ୍ଷକଙ୍କ ସମର୍ପଣ ଓ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ଆମେ ଗର୍ବିତ । ବାଏଜୁ ଦକ୍ଷତାର ସହ ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଦ୍ବାରା ଅଧିକାଂଶ ସେଣ୍ଟରକୁ ଲାଭ ମିଳିବାରେ ଲାଗିଛି । ଆଗାମୀ ଦିନରେ ୯୦ ପ୍ରତିଶତ ଟ୍ୟୁସନ ସେଣ୍ଟର ନୂଆ ଟେକ୍ନୋଲଜି ସହ ହାଇବ୍ରିଡ ମଡେଲରେ କାମ କରିବ ।

ସୂଚନାଯୋଗ୍ୟ, ଖର୍ଚ୍ଚପାଟ ପାଇଁ ପୂର୍ବରୁ କମ୍ପାନୀ ନିଜର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରିସାରିଛି । ଏଥିରେ କାମ କରୁଥିବା ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଓ୍ବାର୍କ ଫ୍ରମ ହୋମ ଦିଆଯାଇଛି । ଏବେ କମ୍ପାନୀ ମାତ୍ରା ଗୋଟିଏ କର୍ପୋରେଟ୍ ଅଫିସ ରହିଛି । ବାଏଜୁ ୨୦ରୁ ଅଧିକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିଥିଲା ।

ସୂଚନାଯୋଗ୍ୟ, ବାଏଜୁ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏମିତି କର୍ମଚାରୀ ଠିକ ସମୟରେ ଦରମା ବି ପାଉ ନାହାନ୍ତି । କର୍ମଚାରୀଙ୍କୁ ଦରମା ଦେବାକୁ କମ୍ପାନୀର ଫାଉଣ୍ଡର ତଥା ସିଇଓ ରବୀନ୍ଦ୍ରନଙ୍କୁ ନିଜ ଘରକୁ ବି ବନ୍ଧକ ରଖିବାକୁ ପଡିଥିଲା ।