ଆସନ୍ତା ୧୮ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ନବକଳେବର ପରେ ବସିବାକୁ ଯାଉଛି ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଆସନ୍ତା ୧୮ ତାରିଖରେ ବସିବ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ବସିବାକୁ ଥିବା ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦିନ ୧୦ଟାରେ ଅନୁଷ୍ଠିତ ହେବ । ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ୩୫ଟି ସାଙ୍ଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି ଏବଂ ସମସ୍ତ ଜୋନର ସଭାପତି ମାନେ ଯୋଗଦେବେ ।
ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ମାନ ଆଗତ କରାଯିବା ସହ ତୃଣମୂଳ ସ୍ତରରେ ଯୁବକମାନଙ୍କୁ ସୁସଙ୍ଗଠିତ କରାଯାଇ ବିଜୁ ଜନତା ଦଳର ସଙ୍ଗଠନକୁ ବ୍ୟାପକ କ୍ରିୟାଶୀଳ କରିବା ଦିଗର ବିସ୍ତୃତ ଆଲୋଚନା କରାଯିବ । ଏନେଇ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।