ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର: ବାଲେଶ୍ୱରରେ ବଢ଼ୁଛି ବିଜେଡିର ପତିଆରା

ବାଲେଶ୍ୱର,ତିର୍ତ୍ତୋଲ: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ବଢୁଛି ରାଜନୈତିକ ଉଷ୍ମତା । ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଚାଲିଛି ହାଇଭୋଲଟେଜ୍ କ୍ୟାମ୍ପେନିଂ । ସମର୍ଥନ ସାଉଁଟୁଛନ୍ତି ପ୍ରାର୍ଥୀ । ବାଲେଶ୍ୱରରେ ବିଜେଡିକୁ ସମର୍ଥନର ହାତ ବଢାଇଛନ୍ତି କଳାକାର । ସେପଟେ ତିର୍ତ୍ତୋଲ ତାଜ୍ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରୋଡ୍ ସୋ, ସଭା, ଶୋଭାଯାତ୍ରା କରାଯାଉଛି । ସାମିଲ ହେଉଛନ୍ତି ହେଭିଓ୍ୱେଟ୍ ନେତା । ପାର୍ବଣରେ ସରଗରମ ଉପନିର୍ବାଚନ ରାଜନୀତି । ଜମୁଛି ପ୍ରଚାର, ମଇଦାନ୍‌ରେ ହେଭିଓ୍ୱେଟ୍ । ସମର୍ଥନ ସାଉଁଟୁଛନ୍ତି ଯୋଦ୍ଧା । ତେଜୁଛି ଆରୋପ, ପ୍ରତ୍ୟାରୋପ ।

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବଢୁଛି ବିଜେଡିର ପତିଆରା । ଶ୍ରମିକ, ଆଶାକର୍ମୀ, ଅଙ୍ଗନବାଡି କର୍ମଚାରୀଙ୍କ ପରେ କଳାକାର ବଢାଇଲେ ସମର୍ଥନର ହାତ । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପାଲା, ଦାସକାଠିଆ, ସଂକୀର୍ତ୍ତନ, ଯାତ୍ରା କଳାକାର, ଚିତ୍ରକର ପ୍ରମୁଖ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି । ସେପଟେ ବାଲେଶ୍ୱରରେ ଏମ୍‌ସ ପ୍ରତିଷ୍ଠା ନହେବା ନେଇ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ।

ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଘର ଘର ବୁଲି ପ୍ରଚାର କରୁଛନ୍ତି  । ତାତିଲାଣି ତିର୍ତ୍ତୋଲ  । ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ସବୁଦଳର ହେଭିଓ୍ୱେଟ୍ । ବିଜେଡି ପକ୍ଷରୁ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା କରାଯାଇଛି । ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାପା ବିଷ୍ଣୁ ଦାସଙ୍କ ସ୍ୱପ୍ନ ସାକାର କରିବା ଲକ୍ଷ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ ବିଜୟଶଙ୍କର ଦାସ । ସେପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗରାମ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିଲେ । କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି ଆଉ ଦିନ କେଇଟା ପରେ ଉପନିର୍ବାଚନ । ୩ତାରିଖରେ ଯୋଦ୍ଧାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେଣୁ ମତଦାତାଙ୍କୁ ମନାଇବାକୁ ଜୋରଦାର ପ୍ରଚାର କରୁଛନ୍ତି ସବୁ ଦଳର ପ୍ରାର୍ଥୀ ।

Leave a Reply