୭ ବିଧାନସଭା ଆସନରେ ଚାଲିଛି ଭୋଟିଂ, ୬ ରାଜ୍ୟ ମତଦାନରେ ସାମିଲ

ଭୁବନେଶ୍ବର: ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ଉତ୍ତରପ୍ରଦେଶର ଗୋଲା ଗୋକ୍ରାନାଥ, ହରିଆଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ ଏବଂ ଓଡ଼ିଶାର ଧାମନମଗରରେ ଉପନିର୍ବାଚନ ଚାଲିଛି । ବିହାର ମୋକମାରେ ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କୁ ଅଯୋଗ୍ୟ ଘୋଷଣା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି ।

ଗୋପାଳଗଞ୍ଜରେ ବିଜେପିର ସୁଭାଷ ସିଂଙ୍କ ମୃତ୍ୟୁ ଯୋଗୁ ପୁଣି ଭୋଟ ହେଉଛି । ଅନ୍ଧେରୀ ଓ୍ବେଷ୍ଟେର ଶିବସେନାର ରମେଶ ଲଟକେଙ୍କ ମୃତ୍ୟୁ, ଗୋଲା ଗୋକ୍ରାନାଥରେ ବିଜେପିର ଅରବିନ୍ଦ ଗିରିଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି । ଆଦମପୁରରେ କୁଳଦୀପ ବିଷ୍ଣୋଇ ଓ ମୁନୁଗୋଡେର କେ. ରାଜଗୋପାଳ ରେଡ୍ଡୀଙ୍କ ଇସ୍ତଫା ପରେ ସେଠାରେ ଉପନିର୍ବାଚନ ହେଉଛି ।

ପୂର୍ବରୁ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତ ରାଷ୍ଟ୍ର ସମିତିର ୪ ବିଧାୟକ ପାଇଲଟ ରୋହିତ ରେଡ୍ଡୀ, ରେଗା କାନ୍ଥାରାଓ, ଗୁଭାଲା ବଳରାଜୁ ଓ ବୀରମ ହର୍ଷବର୍ଦ୍ଧନଙ୍କୁ ଟଙ୍କା ଦେବା ନେଇ ଯୋଜନା ଚାଲିଥିବା ବେଳେ ଏହା ଶେଷ ମୁହୂର୍ତ୍ତରେ ପଣ୍ଡ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇଥିଲେ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଓ ସିଂହାୟାଜି ସ୍ବାମୀ । ମୁନୁଗୋଡେ ବିଧାନସଭା ଉପନିର୍ବାଚନରେ ସ୍ଥିତି ବଦଳାଇ ଦେବାକୁ ଏହି ଯୋଜନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଅନ୍ଧେରୀ ଇଷ୍ଟର ବିଜେପି ପ୍ରାର୍ଥୀ ମୁର୍ଜି ପଟେଲଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଉଦ୍ଧବ ଠାକରେ ଗୋଷ୍ଠୀ ପ୍ରାର୍ଥୀ ରୁତୁଜା ପଟେଲଙ୍କ ବିଜୟ ସମ୍ଭାବନା ଉଜ୍ବଳ ରହିଛି ।