ସକାଳୁ ରାଜଧାନୀ ସବୁଠୁ ଉତ୍ତପ୍ତ, ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୩.୬ ଡିଗ୍ରୀ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ସବୁଠୁ ଉତ୍ତପ୍ତ । ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବାର ଆଶଙ୍କା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୨ ଡିଗ୍ରୀ ଉପରେ ପାରଦ ରହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପାରଦ ଉପରମୁହାଁ ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କତା ଜାରି କରାଯାଇଛି ।