ବାୟୁରେ ଆର୍ଦ୍ରତା ବୃଦ୍ଧି ଯୋଗୁ ବଢୁଛି ଗୁଳୁଗୁଳି, ଦିନ ସାଢ଼େ ୧୧ ସୁଦ୍ଧା ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: କଲବଲ କରୁଛି ଗୁଳୁଗୁଳି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକ । ସାଢେ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁରରେ ୩୯.୨ ଡିଗ୍ରୀ ତାତି ଥିବା ବେଳେ କେନ୍ଦୁଝରରେ ୩୭ ଡିଗ୍ରୀ ରହିଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ ୩୫.୬ ଡିଗ୍ରୀ ରହିଛି ପାରଦ । ସେପଟେ ବାୟୁରେ ଆର୍ଦ୍ରତା ବୃଦ୍ଧି ଯୋଗୁ ଗୁଳୁଗୁଳି ବଢୁଛି । ପୁରୀରେ ଆର୍ଦ୍ରତା ୮୩ ପ୍ରତିଶତ ଥିବା ବେଳେ, ଗୋପାଳପୁରରେ ୭୪, ଚାନ୍ଦବାଲିରେ ୬୬, କେନ୍ଦୁଝରରେ ୫୦, ଭୁବନେଶ୍ୱରରେ ୫୯ ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି । ସେହିପରି ପାରାଦୀପରେ ୭୧ ପ୍ରତିଶତ, ବାଲେଶ୍ବରରେ ୭୯, ହୀରାକୁଦରେ ୪୩, ସମ୍ବଲପୁରରେ ୩୯, ଝାରସୁଗୁଡାରେ ୨୨ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆସନ୍ତା ୧୮ ତାରିଖରୁ ରାଜ୍ୟ କାଳବୈଶାଖୀ ପ୍ରଭାବ ଦେଖାଯିବ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ଏବଂ ଗରମ ଓ ଗୁରୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଅନ୍ୟ ଜିଲ୍ଲାରେ ବି ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ । ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।