ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: ସିସିଟିଭି ଫୁଟେଜ୍ ହସ୍ତଗତ ପରେ ବି ପୋଲିସର ହାତ ଖାଲି

ସମ୍ୱଲପୁର: ସମ୍ବଲପୁରରେ ସକ୍ରିୟ ଅପରାଧୀ ଗୋଷ୍ଠୀ । ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାର ୮ ଦିନ ପରେ ବି ପୋଲିସ ହାତ ଖାଲି । ଗତ ୧୭ ତାରିଖରେ ସମ୍ବଲପୁର ସହରର ଚେରୁଆପଡା ଠାରେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଦେବାଶିଷଙ୍କୁ କିଛି ଦୁର୍ବୁତ୍ତ ଦାଦାବଟି ମାଗିଥିଲେ ।

ହେଲେ ଦେବାଶିଷ ତାଙ୍କ କଥା ଶୁଣିନଥିଲେ। ପରବର୍ତ୍ତୀ ସମୟରେ ଦେବାଶିଷଙ୍କୁ ପୁଣି ଟଙ୍କା ମାଗିଥିଲେ ଆଉ ଧମକ ମଧ୍ୟ ଦେଇଥିଲେ । ଦେବାଶିଷ ପୁଣି ଏହି ଧମକକୁ ଖାତିର ନକରି  ଦୁର୍ବୃତ୍ତଙ୍କୁ ଦାଦା ବଟି ନଦେବାରୁ ଏହି ଆକ୍ରମଣ ହୋଇଛି ।  ନିଜ ମାର୍କେଟ କମ୍ପ୍ଲେକ୍ସରେ ଥିବା ତାଙ୍କ ଅଫିସକୁ ଯାଇଥିବା ବେଳେ ଚାରି ଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ଏକ ଷ୍ଟିଲ  ରଡରେ ଦେବାଶିଷଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ଆଉ ଜଣେ  ବ୍ୟବସାୟୀ ସେଠାରେ ପହଞ୍ଚି ଦେବାଶିଷଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।  ହେଲେ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ  । ଘଟଣା ବେଳର ସମସ୍ତ ଦୃଶ୍ୟ ଏକ ସିସିଟିଭିରେ ରେକର୍ଡ ହୋଇଛି  ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି  । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ରେ ଭର୍ତି କରାଯାଇଛି । ସେପଟେ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପ ବସିବା ସମସ୍ତ ବ୍ୟବସାୟୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

Leave a Reply