ଅବ୍ଯବସ୍ଥା ଘେରରେ ରାଉରକେଲା ବିଶ୍ରାଛକ ବସଷ୍ଟାଣ୍ଡ

ରାଉରକେଲା : କେଉଁଠି ରାସ୍ତାରୁ କଂକ୍ରିଟ ଉଠି ପାଣି ଜମା ହେଉଛି ତ କେଉଁଠି ଲୁହା ରଡ଼ ଉଠିଲାଣି । ପରିତ୍ଯକ୍ତ ଅବସ୍ଥାରେ ବସ ବେ । ବସଷ୍ଟାଣ୍ଡ କୋଠାଘରୁ ଅତଡ଼ା ଖସୁଥିବାରୁ ଆତଙ୍କିତ ଯାତ୍ରୀ । ଇଏ ହେଉଛି ରାଉରକେଲା ନୂଆ ବସଷ୍ଟାଣ୍ଡର ଦୃଶ୍ଯ । ବିଶ୍ରା ଛକ ନିକଟରେ ଥିବା ଏହି ନୁଆ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ୪ ଶହରୁ ଅଧିକ ବସ୍ ଓ ହଜାର ହଜାର ଯାତ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟାତ କରନ୍ତି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବସ  କର୍ମଚାରୀମାନେ ମଧ୍ୟ ସ୍ଥିତିକୁ ଦେଖି ଆସିବାକୁ ଡରୁଛନ୍ତି । ଭିଡ଼, ବିପଦପୂର୍ଣ୍ଣ କୋଠା ଓ ଅନୁପଯୁକ୍ତ ରାସ୍ତା ଯୋଗୁଁ ଯାତ୍ରୀ, ବ୍ୟବସାୟୀ, ବସ୍ ମାଲିକ ଓ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ବସଷ୍ଟାଣ୍ଡର ଏପରି ସ୍ଥିତି ଦେଖି ଏହାର ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।  ରାଉରକେଲା ଘରୋଇ ବସ୍ ଷ୍ଟାଣ୍ଡକୁ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲର ରୂପ ଦିଆଯିବ  ବୋଲି ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି । ପ୍ରସ୍ତାବିତ ନୂତନ ବସ୍ ଷ୍ଟାଣ୍ଡରେ ମୋଟ ୩୬ଟି ‘ବସ୍ ବେ’ ସହ ଆରଏସପି ଠାରୁ ନିଆଯାଇଥିବା ଜାଗାରେ ଦୂରଗାମୀ ବସ୍ଗୁଡିକ ପାଇଁ ଏକ ଅତିରିକ୍ତ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି କହିଛନ୍ତି ଆରଏମସି କମିଶନର। ବସଷ୍ଟାଣ୍ଡର ପୁନଃ ନିର୍ମାଣ କାର୍ଯ୍ୟ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ସହଯୋଗରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।…