ଲାଭ କ୍ଷତିର ହିସାବରେ ଫସି ରହିଛି ବସ୍ ସେବା, ସରୁନି ବସ୍‌ ଯାତ୍ରୀଙ୍କ ଅପେକ୍ଷା

ଭୁବନେଶ୍ୱର: ଅନୁମତି ପରେ ବି ଅମଙ୍ଗ ବସ୍‌ ମାଲିକ । ଲାଭ କ୍ଷତିର ହିସାବରେ ଫସି ରହିଛି ବସ୍‌ ସେବା । ଛିଡ଼ୁନି ଅଙ୍କ, ଗଡ଼ୁନି ବସ୍‌ । ସେବା ଆରମ୍ଭ ପରେ ଲାଭ ନୁହେଁ ବରଂ କ୍ଷତି ହେବ ବୋଲୁ କହୁଛନ୍ତି ବସ୍‌ ମାଲିକ ସଂଘ ।

ବସ୍‌ ଚଳାଚଳ ନେଇ ଭୁବନେଶ୍ବର ବରମୁ୍ଣ୍ଡା ବସଷ୍ଟାଣ୍ଡରେ ଆଜି ଘରୋଇ ବସ ମାଲିକ ସଂଘର ବୈଠକ ବସିଥିଲା । ଏଥିରେ ରାଜ୍ୟର ୪ଟି ସଂଘ ସାମିଲ ହୋଇଥିଲେ।  ଲିଙ୍ଗରାଜ ବସ ମାଲିକ ସଂଘ, ରାଜଧାନୀ, ଟାଉନ୍‌ ବସ ଓ ମିନି ବସ ମାଲିକ ସଂଘ କର୍ମକର୍ତ୍ତା ଯ଼ୋଗଦେଇଥିଲେ । ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇନାହିଁ। ବୁଧବାର ପୁଣି ବୈଠକ ବସିବ । ଏଥିରେ ରାଜ୍ୟର ସବୁ ବସ୍‌ ସଂଘ କର୍ମକର୍ତ୍ତା ଯୋଗଦେବେ । ସମସ୍ତଙ୍କ ମତାମତ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଗଡିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ ।

ମାଲିକ ସଂଘର ଦାବି ଗ୍ରହଣ କରାନଗଲେ ଗାଡ଼ି ଚଳାଇବା ସମ୍ଭବ ନୁହେଁ । ସରକାର ଟ୍ୟାକ୍ସ ଛାଡ଼ କରିବାକୁ ସଂଘ ଦାବି କରିଛି। ବସ୍‌ ମାଲିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ । କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଆଣିବାକୁ ସଂଘ ଦାବି କରିଛି। ଇନ୍‌ସୁରାନ୍‌ସ ଅବଧି ବୃଦ୍ଧି କରାଯାଇନି । ଏସବୁ ସ୍ଥିତିରେ ଗାଡି ଚଳାଚଳ କରାଯାଇପାରିବନାହିଁ ବୋଲି ସଂଘ କହିଛି ।

ଅନ୍ୟପଟେ ଖୁବ‌ଶୀଘ୍ର ମୋ ବସ୍‌ ଚଳାଚଳ ଆରମ୍ଭ ହେବ । କେଉଁ ରୁଟ୍‌ରେ କେତେ ବସ୍‌ ଚଳାଚଳ କରିବ, ଆସନ୍ତାକାଲି ସୂଚନା ଦିଆଯିବ । ମୋ ବସ୍‌ ଚାଲିବା ପ୍ରସଙ୍ଗରେ ଏହାର ପରିଚାଳନା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ୍‌ ରିଜିଅନ ଅର୍ବାନ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ର। ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ମୋ ବସ୍‌କୁ ବାହାରୁ ଆସୁଥିବା ଶ୍ରମିକଙ୍କୁ ନେବା ଆଣିବା କାମରେ ଲଗାଯାଇଛି । କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ ସେନେଇ ଆସନ୍ତାକାଲି ଅବଗତ କରାଯିବ ବୋଲି ଅରୁଣ ବୋଥ୍ର। କହିଛନ୍ତି ।

Leave a Reply