ବସ୍ ରୁ ବାହାରିବ ଅମ୍ଲଜାନ, ହ୍ରାସ କରିବ ପ୍ରଦୂଷଣ
ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣ ହ୍ରାସ କରିବ ବସ୍ । ପରିବେଶକୁ ରକ୍ଷା କରିବ। ବସ୍ ରୁ ବାହାରିବ ଅମ୍ଲଜାନ। ୧୮ ହଜାର ଗଛ ଦିନକୁ ଯେତେ ଅମ୍ଲଜାନ ଦିଅନ୍ତି, ଗୋଟିଏ ବସ୍ ସେତିକି ଅମ୍ଲଜାନ ଦେବ। ପରିବେଶ ପ୍ରଦୂଷଣ କରୁଥିବା ଅଙ୍ଗାରକାମ୍ଲ ଦାଉରୁ ଜୀବଜଗତକୁ ରକ୍ଷା କରିବ ସବୁଜ ଉଦଜାନ ଚାଳିତ ବସ୍। ଓଡ଼ିଶାରେ ଏପରି ବସ୍ ଚଳାଚଳ କରିବାକୁ ଯୋଜନା କରାଯାଇଛି। ଆଗରୁ ଲଦାଖ ଓ ଦିଲ୍ଲୀରେ ଏହି ସବୁଜ ଉଦଜାନ ଚାଳିତ ବସ୍ ଚଳାଚଳ କରୁଛି। ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପରିବେଶବିତ୍।
ଯେଉଁ ବସ୍ ପରିବେଶ ପ୍ରଦୂଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା ସେହି ବସ୍ ଏବେ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଇବ। ୧୮ ହଜାର ଗଛ ଦୈନିକ ଯେତିକି ଅମ୍ଳଜାନ ଦିଅନ୍ତି, ଗୋଟିଏ ବସ୍ ଦିନକରେ ସେତିକି ଅମ୍ଳଜାନ ଦେବ। ଯାତ୍ରୀ ପରିବହନ ସହ ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ଦିଗରେ କାମ କରିବ ଏହି ନୂଆ ସବୁଜ ଉଦଜାନ ଚାଳିତ ବସ୍ । ଖାଲି ସେତିକି ନୁହେଁ ଏହି ବସ୍ ପାଇଁ ଉଦଯାନ ପ୍ରସ୍ତୁତ ହେବ ପ୍ରଦୂଷିତ ବା ସ୍ଵେରେଜ ଜଳରୁ। ଏହା ଦ୍ଵାରା ବାୟୁ ଓ ଜଳ ପ୍ରଦୂଷଣକୁ ମଧ୍ୟ ରୋକାଯାଇ ପାରିବ। ବିଶ୍ୱ ଉତ୍ତାପନ ବୃଦ୍ଧି ଓ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ସାଜିଥିବା ବେଳେ ଓଡ଼ିଶାରେ ଚାଲିବାକୁ ଥିବା ଏହି ଉଦଜାନ ବସ୍ ଏବେ ନୂଆ ଆଶାର ସଂଚାର କରିଛି।
ଅଗଷ୍ଟ ୧୫ ସୁଦ୍ଧା ଭୁବନେଶ୍ୱରରେ ଏହି ବସ ଚାଲିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୩ଟି ବସ୍ ଚାଲିବ, ପରେ ଆସିବ ଆଉ ଦୁଇଟି ବସ୍ । ତିନୋଟି ବସ ଚାଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଚାଲିବ ଆଉ ଦୁଇଟି। ଭୁବନେଶ୍ୱର ସହ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ, କଟକରେ ମଧ୍ୟ ଏପରି ବସ୍ ଚଳାଚଳ କରାଯିବ। ବସ୍ ରେ ଭାଇବ୍ରେସନ ହେବନି କି ନଏଜ ହେବନି। ଥରେ ଉଦଜାନ ଭର୍ତ୍ତି ହେଲେ ଏହା ୬୦୦ କିଲୋମିଟର ଯିବ । ଗଛ ଲଗାଯାଏ ଅମ୍ଳଜାନ ପାଇଁ କିନ୍ତୁ ଏ ପଦ୍ଧତିରେ କେତେ ଗୁଣ ଅଧିକ ଅମ୍ଳଜାନ ମିଳିବ। ଏମିତି ଯେତେ ବସ୍ ଚାଲିବ, ଅଙ୍ଗାରକାମ୍ଳ ନିର୍ଗମନ ସେତେ କମିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।
ମାତ୍ରାଧିକ ଅଙ୍ଗାରକାମ୍ଳ ନିର୍ଗମନ ସାରା ବିଶ୍ଵର ଚିନ୍ତା ବଢାଇଛି। ଅଧିକ ଅଙ୍ଗାରକାମ୍ଲ ନିର୍ଗମନ ଯୋଗୁଁ ତାପମାତ୍ରା ବଢୁଛି, ଜଳବାୟୁ ପରିବର୍ତ୍ତନ ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ବଢୁଛି ବୋଲି ପରିବେଶବିତ କହିଛନ୍ତି। ୟୁରୋପ ଓ ଆମେରିକାରେ ଏଭଳି ଉଦଜାନ ବ୍ୟବହାର ହେଉଛି। ସବୁ ସମସ୍ୟାର ମୂଳ ହେଲା ଅଙ୍ଗାରକାମ୍ଳ। କୋଇଲା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବ୍ୟବହାର ଯୋଗୁଁ ଅଙ୍ଗାରକାମ୍ଲ ବଢି ଚାଲିଛି। ଏଭଳି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ କମିଯାଉଛି ୧୦ ରୁ ୧୨ ବର୍ଷ । ବସ୍ ସହ ଧୀରେ ଧୀରେ କଳକାରଖାନା, ଟ୍ରକ, ରେଳ ବି ଉଦଜାନରେ ଚାଲିବ। ପରିବେଶ ରକ୍ଷା ପାଇଁ ଏକ ଶୁଭ ସଂକେତ ବୋଲି ପରିବେଶବିତ କହିଛନ୍ତି । ଭୁବନେଶ୍ଵର ଗାଡ଼କଣ ସିଟି ବସ ଚାର୍ଜିଙ୍ଗ ଷ୍ଟେସରେ ଉଦଯାନ ପ୍ରସ୍ତୁତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଛି। ଆଞ୍ଚଳିକ ସୁରକ୍ଷା ମଞ୍ଚ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ଏଭଳି ଏକ ପରିବେଶ ରକ୍ଷାକାରୀ ଵ୍ୟଵସ୍ଥାର ସଠିକ କ୍ରିୟାନ୍ଵୟନ ଉପରେ ଗୁରୁତ୍ୱ ଦେଇଛି।
ସୌର ଓ ପବନରୁ ଆସୁଥିବା ଶକ୍ତିରେ ସବୁଜ ଉଦଜାନ ବାହାରେ । ଚନ୍ଦ୍ରପୃଷ୍ଠକୁ ଯେତେବେଳେ ଆମେରିକାର ମହାକାଶଯାନ ଆପୋଲୋ ଯାଇଥିଲା, ସେଥିରେ ଇନ୍ଧନ ଭାବେ ଉଦଜାନ ବ୍ୟବହାର ହୋଇଥିଲା। ଉଦଯାନ ଚାଳିତ ବସ୍ ନନଷ୍ଟପ୍ ୬୦୦ କିଲୋମିଟର ଚାଲିବ। ଇଭି ଅପେକ୍ଷା ଏହା ଆହୁରି ଲାଭପ୍ରଦ ହେବ ବୋଲି କୁହାଯାଉଛି।