୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଚଳନ୍ତା ବସ୍‌ : ୧୦ ଜଣଙ୍କ ମୃତ୍ୟୁ

1 min read

ବ୍ରହ୍ମପୁର: ଗୋଳନ୍ଥରା ଥାନା ମେନ୍ଦ୍ରାଜପୁର ଗାଁ ନିକଟରେ ବଡ଼ ଧରଣର ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ ଝଟ୍‌କାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ସିଲକ୍‌ ସିଟି ବସ୍‌ (OR-07-T-1441) ।  ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୫ ଆମ୍ୱୁଲାନ୍ସ ମଧ୍ୟ ନିୟୋଜିତ ଥିଲା । ଆହତଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ ସେମାନଙ୍କ ମଧ୍ୟ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଡଙ୍ଗରପଡ଼ାରୁ ସକରଡ଼ା ଯାଉଥିଲା ବସ୍‌ । ନିର୍ବନ୍ଧ ପାଇଁ ଯାଇଥିଲେ ପରିବାର ଲୋକେ ।  ବ୍ରହ୍ମପୁର ବଡ଼ ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ରହି ଗୁରୁତରଙ୍କ ଚିକିତ୍ସାକୁ ତଦାରଖ କରୁଛନ୍ତି । ମୃତକମାନେ ହେଲେ ବି ରାମେୟା, ବି ଆଚୁଲୁ, ସି ଏଚ କାମ ରାଜୁ, ବି ତାରଣେୟା, କେ ସଂଜୁ, ବି ମୋହିନୀ, ବି କାନେକା ଆମ୍ମ, ସନ୍ତୋଷି ସାହୁ ଓ A ରେୟା ରେଡ୍ଡୀ । ଅନ୍ୟ ଜଣେ ବାଳକ ଦେବରାଜ ରେଡ୍ଡୀଙ୍କ ଏସ୍‌ସିବି ମେଡିକାଲରେ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଶୋକସନ୍ତପ୍ତ ପରିବାରଗର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave a Reply