ଭୁବନେଶ୍ବର : ବଡ ବସ ହେବ ଛୋଟ । ସବୁ ଗାଡିର ପଛ କାଟିବାକୁ ପରିବହନ ବିଭାଗ ଦେଇଛି ନିର୍ଦ୍ଦେଶନାମା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବସ ସଂଘ । ଏନେଇ ପରିବହନ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ଏକାଠି ହୋଇଥିଲେ ବସ ସଂଘ । ବସର ସଂଘର ଦାବି ହେଉଛି, ଯଦି ସବୁ ବସର ବଡି କଟାଯିବ, ଛାତ କଟାଯିବ ତେବେ ଏଥିପାଇଁ ବସ ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିବ । ନୂଆ ବଡି କୋଡ ନିୟମ ଅନୁସାରେ ଏସବୁ କରିବା ପରେ ଯାଇ ବସ ସଂଘକୁ ଏଥିଲାଗି ସାର୍ଟିଫିକେଟ ମିଳିବ । ତେବେ ଏ ସାର୍ଟିଫିକେଟ ଦେବାକୁ ଓଡିଶାରେ କୌଣସି ବ୍ୟବସ୍ଥା ନାହିଁ । ବସ ସଂଘର ଦାବି ହେଉଛି ଯଦି ଏ ବ୍ୟବସ୍ଥା କରାଯିବ ବସ ମାଲିକମାନେ ଅଧିକ ଖର୍ଚ୍ଚାନ୍ତ ହେବେ । ତେଣୁ ପରିବହନ ବିଭାଗ ଯଦି ଏ ନିୟମକୁ କୋହଳ ନକରନ୍ତି ଏହା ବିରୋଧରେ ହାଇକୋର୍ଟକୁ ଯିବ ସଂଘ ।
ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସବୁ ବସର ପଛ କଟାଯାଇ ଛୋଟ କରାଯିବ । ବସରେ ଥିବା ପାର୍ଟିସନ ଡୋରକୁ ଖୋଲିଦିଆଯିବ । ବସ ମଝିରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ, ପାଣି ଟାଙ୍କି ବ୍ୟବସ୍ଥା କରାଯିବ । ଯାହାକୁ ନେଇ ପ୍ରଶ୍ନ ସଂଘ ପ୍ରଶ୍ନ ଉଠାଇଛି । ୨୦୨୧ ପରେ ଯେଉଁ ଗାଡି କିଣାଯାଇଛି ସେ ଗାଡିରେ ଏ ବ୍ୟବସ୍ଥା କରିବାର ନିୟମ ଅଛି । ତେଣୁ ସବୁ ଗାଡି ପାଇଁ ଏହି ନିୟମ କରାଯାଉଥିବାରୁ ସଂଘ ଏହାକୁ ବିରୋଧ କରିଛି । ପରିବହନ ମନ୍ତ୍ରୀ କହିଛନ୍ତି ସ୍ଲିପର କୋଚ ବସ ପାଇଁ ଯେଉଁ ନିୟମ ଥିଲା ସେହି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବସରେ ପାଣି ଟ୍ୟାଙ୍କ ଏବଂ ସ୍ପିଙ୍କଲର ଲଗାଇବା ବାଧ୍ୟତାମୂଳକ । କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ଏହାକୁ କଡାକଡି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ନୂଆ ନିୟମକୁ ନେଇ ବସ ସଂଘ ଆପତ୍ତି ଉଠାଇଛି । ବସରେ ନିଆଁ ଲାଗୁଥିବାରୁ ସରକାର ଏପରି ନିୟମ କରିଥିବା ଯୁକ୍ତି ବାଢୁଥିବା ବେଳେ ଏହାକୁ ଗ୍ରହଣ କରୁନାହାନ୍ତି ବସ ସଂଘ ।

