କଳିଙ୍ଗାଘାଟିରେ ଓଲଟିଲା ଟୁରିଷ୍ଟ ବସ୍; ୬ ମୃତ, ୩୦ ଆହତ

ଭଞ୍ଜନଗର: ଭଞ୍ଜନଗର ଥାନା ଦୁର୍ଗାପ୍ରସାଦରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌  । ଏହି ବସରେ ମୋଟ ୭୦ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଏହି ଟୁରିଷ୍ଟ ବସଟି ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଆସୁଥିବା ବେଳେ ଦୁର୍ଗାପ୍ରସାଦଠାରେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଛି । ବସର ବ୍ରେକ ପାଇପ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା ବସ୍‌ । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରା ମେସିନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏହି ବସରେ ଥିବା ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଉଦନପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।