ପାକିସ୍ତାନ ବିପକ୍ଷ ମ୍ୟାଚରେ ଏଭଳି ପ୍ଲାନ କରିଥିଲେ ବୁମରା

ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପର ହାଇଭୋଲଟେଜ ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶନିବାର ଖେଳାଯାଇଛି । ଏହି ମ୍ୟାଚକୁ ଅତି ସହଜରେ ଭାରତ ବିଜୟୀ ହୋଇଛି । ବିଶ୍ବକପରେ ଉଭୟ ଦଳ ଅଷ୍ଟମ ଥର ଲାଗି ସାମନା ସାମନି ହୋଇଥିବାବେଳେ ପାକିସ୍ତାନର ସ୍ବପ୍ନ ସ୍ବପ୍ନରେ ରହି ଯାଇଛି । ବିଶ୍ବକପରେ ଭାରତଠାରୁ ପାକିସ୍ତାନ ଜିତିନାହିଁ । ତେବେ ଶନିବାର ଯଦିଓ ପାକିସ୍ତାନ ଏକ ପ୍ରକାର ଭଲ ଆରମ୍ଭ କରିଥିଲା ତଥାପି ପରବର୍ତ୍ତୀ ସମୟରେ ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲେ । ଦୃତ ବୋଲର ଜଶପ୍ରୀତ ବୁମରା ଦମଦାର ପ୍ରଦର୍ଶନ କରିଥିଲେ ।

ସେ ୭ ଓଭର ବୋଲିଂ କରି ୧୯ ରନ ବିନିମୟରେ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଏହା ସହ ଗୋଟିଏ ଓଭର ମେଡେନ ମଧ୍ୟ ନେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ବୁମରାଙ୍କ ଘାତକ ବୋଲିଂ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବୁଝି ପାରିନଥିଲେ । ସେ ଯେଉଁ ଗତିରେ ବୋଲିଂ କରି ୨ଟି ଯାକ ବୋଲ୍ଡ କରିଥିଲେ ତାହା ବେଶ ଦର୍ଶନୀୟ ଥିଲା । ସେ କହିଛନ୍ତି କି, ଓ୍ବିକେଟ ଧିର ଥିଲା । ଆମେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଭଲଭାବେ ବୁଝିବା ସହ ରଣନୀତି ପ୍ରସ୍ତୁତ କରିଥିଲୁ । ସେମାନଙ୍କୁ କିଭଳି ମାତ ଦେବୁ ଯେଉଁ ଯୋଜନା କରିଥିଲୁ ସେଥିରେ ସଫଳ ହୋଇଛି ।

ସୂଚନା ଥାଉକି, ପାକିସ୍ତାନ ପ୍ରଥମ ବ୍ୟାଟିଂ କରିଥିବାବେଳେ ୧୯୧ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଛନ୍ତି । ବାକି ଖେଳାଳି ବଡ଼ ପାଳି ଖେଳି ନଥିଲେ । ତେବେ ପାକିସ୍ତାନ ପ୍ରଥମ ଭଲ ଖେଳିଥିଲେ । ୧୫୨ ରନରେ ୨ଟି ଓ୍ବିକେଟ ଯାଇଥିବାବେଳେ ପରବର୍ତ୍ତୀ ସମୟରେ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ । ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଥିଲା । ୧୯୨ ରନର ବିଜୟ ଲକ୍ଷ୍ୟକୁ ଭାରତ ୩୦ ସଭର ୩ଟି ବଲରେ ପୂରଣ କରିଛି । ରୋହିତ ଏବଂ ଶ୍ରେୟସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।