ଯାଜପୁରରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଗାଁ ରାସ୍ତା ଜବରଦଖଲ କରି କରିଥିବା ଘର

ଯାଜପୁର: ଗାଁ ରାସ୍ତାକୁ ଜବର ଦଖଲ କରି ଘର କରିଥିଲେ । ସଫା କରିବାକୁ କହିଲେ ଦାଦାଗିରି ଦେଖାଉଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିରି କରୁ ନଥିଲେ । ଶେଷରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଆଉ ଆଖି ଆଗରେ ଘର ଭଙ୍ଗା ଯାଉଥିବା ବେଳେ ଦେଖଣାହାରୀ ସାଜିଲେ ଏହି ଅସମାଜିକ ବ୍ୟକ୍ତିଙ୍କ ପରିବାର । ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।
ଅଭିଯୋଗ ଅନୁସାରେ, ଯାଜପୁର ସଦର ବ୍ଲକ ସାନସୁଆର ଗାଁର କିଛି ମୁଷ୍ଠମେୟ ଲୋକ ଗାଁ ରାସ୍ତାକୁ ଅବରୋଧ କରି ସେଥିରେ ଘର ତିଆରି କରିଥିଲେ । ଏନେଇ ପ୍ରଫୁଲ୍ଲ କୁମାର ନାୟକ, ରତିକାନ୍ତ ନାୟକ, ତାରାକାନ୍ତ ଜେନା, ସଚିକାନ୍ତ ନାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୩ ମସିହା ଜୁଲାଇ ୨୩ ତାରିଖରେ ମାନ୍ୟବର ହାଇକୋର୍ଟ ସାନସୁଆର ମୌଜା ପ୍ଲଟ ନମ୍ବର ୩୯୦, ଖାତା ନମ୍ବର ୩୫୪ର ମାପଚୁପ ନିର୍ଦ୍ଦେଶ ଦେବା ସହ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା । କିନ୍ତୁ ନୋଟିସକୁ ଅମାନ୍ୟ କରି ୧୮ଟି ପରିବାର ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିଲେ ।
ଗତକାଲି ଯାଜପୁର ତହସିଲଦାର, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଆରଆଇଙ୍କ ମିଳିତ ଉଦ୍ୟମରେ ବୁଲଡୋଜର ଦ୍ୱାରା ଏହି ସରକାରୀ ଜମିରେ ନିର୍ମାଣ ହୋଇଥିବା ଘର, ପାଚେରୀ, ଘରର ବାରଣ୍ଡା ଆଦିକୁ ଉଚ୍ଛେଦ କରାଯାଇଛି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଟାଉନ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।