୮୦ରୁ ୯୦ ବେଗରେ ବହିବ ପବନ, ଆଜିଠୁ ଓଡ୍ରାଫ୍ ଓ ଏନଡିଆରଏଫ୍ ମୁତୟନ

1 min read

ବେଳକୁ ବେଳ ଅଲଗା ଅଲଗା ରୂପ ଦେଖଉଛି ବୁଲବୁଲ୍ । ଓଡ଼ିଶା ଉପରେ ବୁଲବୁଲ ପ୍ରଭାବ ପଡ଼ିବନି ବୋଲି କୁହାଯାଉଥିଲେ ମଧ୍ୟ ସଦ୍ୟ ବୁଲେଟିନ୍ ଅନୁଯାୟୀ ବୁଲବୁଲ୍ ପୁଣି ଗତିପଥ ବଦଳାଉଥିବା ଜଣାପଡ଼ୁଛି । ସମ୍ଭାବ୍ୟ ବାତ୍ୟା ବୁଲବୁଲ ବାଂଲାଦେଶ ମୁହାଁ ହେଲେ ମଧ୍ୟ ପୂରା ବିପଦମୁକ୍ତ ହୋଇପାରିନି ଓଡ଼ିଶା । ଫେରିବା ବାଟରେ ଓଡ଼ିଶାର ବେଶ୍ କିଛି ଅଂଶରେ ତାଣ୍ଡବଲୀଳା ରଚିବା ନେଇ ପୂର୍ବାନୁମାନ ।

ବୁଲବୁଲ ସ୍ଥଳଭାଗ ଛୁଇଁଲେ ୮୦ରୁ ୯୦ ବେଗରେ ପବନ ବହିବ  । ଏବେ ଦ୍ରୁତଗତିରେ ବାତ୍ୟା ମାଡିଆସୁଛି । କଚାଘର , ବିଦ୍ୟୁତ ଖୁଣ୍ଟ,ଗଛ ଏବଂ ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ବୈଠକରୁ ସୂଚନା ମିଳିଛି । ତେବେ ସମୁଦ୍ର ଭିତରକୁ ଯାଇଥିବା ୧୯,୬୫୩ ମତ୍ସ୍ୟଜୀବୀ ଏହା ମଧ୍ୟରେ ଫେରିଆସିଛନ୍ତି ଏବଂ ୧୨ଟି ବୋଟ ବର୍ତ୍ତମାନ ଫେରୁଥିବା ଜଣାଯାଇଛି ।

ଏନେଇ ସମସ୍ତ ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମମାନଙ୍କୁ ନିୟୋଜିତ କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାଲେଶ୍ବର ଜିଲ୍ଲାର ସମୁଦ୍ର କୂଳରେ  ପୋଲିସ ମୁତୟନ କରାଯିବ ।

ଆଜିଠାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ମୁଖ୍ୟତଃ ପୁରୀ ,ମୟୂରଭଞ୍ଜ, କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ପ୍ରବଳ ବର୍ଷା ସହ ପବନ ବେଗ ରହିବ ବୋଲି ସୂଚନା ମିଳିଛି । ଗତିପଥ ବଦଳିବା ସୂଚନା ଆସିବା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଲୋକସେବା ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡ଼ିଓ କନଫରେନ୍ସିଂରେ ବୈଠକ କରୁଛନ୍ତି । ଏ  ବୈଠକରେ ମୁଖ୍ୟ ଶାସନ ସଚିବ,ଗୃହ ସଚିବ, ଏସ ଆରସି ପ୍ରମୁଖ ଉପସ୍ଥିତ ଅଛନ୍ତି। ବୁଲବୁଲ୍ ସଂକ୍ରାନ୍ତରେ ଓଡ଼ିଶା ,ଆଣ୍ଡାମାନ , ପଶ୍ଚିମବଂଗ ସହ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ  ଆଲୋଚନା ହୋଇଛି । ୮ ତାରିଖ ଦିନ ହିଁ ବାତ୍ୟାର ଏହି ପ୍ରଭାବ ରହିବ । କଟକ ପୁରୀ ,ଜଗତସିଂହପୁର ,କେନ୍ଦ୍ରାପଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ')}

Leave a Reply