spot_img

Latest Posts

ବିଲଡରଙ୍କୁ ଭୁବନେଶ୍ୱରରୁ ଅପହରଣ ପରେ ବ୍ରହ୍ମପୁରରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଦୁର୍ବୃତ୍ତଙ୍କ ଟାର୍ଗେଟରେ ବିଲଡ଼ର। ଭୁବନେଶ୍ୱରରୁ ଅପହରଣ, ବ୍ରହ୍ମପୁରରେ ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବିଲଡର ରାହୁଲ ସ୍ୱାଇଁ। ଟଙ୍କା କାରବାର ନେଇ ବିଲଡରଙ୍କୁ ଅପହରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନା ଅନୁସାରେ, ରାହୁଲଙ୍କୁ ଗତ ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଭୁବନେଶ୍ୱର ସିଆରପିଏଫ ଛକ ନିକଟରୁ ଅପହରଣ କରି ନେଇଥିଲେ। ଅପହରଣ ହୋଇଥିବା ବିଲଡରଙ୍କ ବାଇକ ସିଆରପିଏଫ ଛକରୁ ନୟାପଲ୍ଲୀ ଫାଣ୍ଡି ପୋଲିସ ଉଦ୍ଧାର କରିଛି। ବ୍ରହ୍ମପୁରର ଏକ ନିଛାଟିଆ ଅଞ୍ଚଳରେ ବିଲଡରଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ଗୁରୁତର ଆହତ ସତ୍ତ୍ୱେ  ବିଲଡର ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ପୋଲିସ ଫାଣ୍ଡି ଅଧିକାରୀ ତାଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା କରାଯାଉଛି। ରାହୁଲଙ୍କର ଭୁବନେଶ୍ୱର ଓ କୋଲକାତାରେ କମ୍ପାନୀ ରହିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ମେଡିକାଲରେ ପୋଲିସ ମୁତୟନ କରାଯାଇଛି। ବିଲଡରଙ୍କୁ ଆକ୍ରମଣ କରିଥିବା ଯୁବକ ମାନେ କିଏ ଏବଂ ସେମାନେ କେବଳ ଟଙ୍କା ନା ଆଉ କିଛି କାରଣ ପାଇଁ ବିଲଡରଙ୍କୁ ଅପହରଣ କରିଥିଲେ, ପୋଲିସ ତଦନ୍ତ ପରେ ହିଁ ଜଣାପଡିବ।

Latest Posts

Don't Miss