ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ : ବନ୍ଧାହେଲା ଠକ ବିଲଡର

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଝାଳବୁହା ଧନରେ କରୁଥିଲେ ଅଏସ । କୋଟି କୋଟି ଟଙ୍କା ଲୁଟି ବୁଲୁଥିଲେ ବିଦେଶ ଆଉ କିଣୁଥିଲା ଦାମୀ ଗାଡ଼ି, ଘଣ୍ଟା ଓ ସୁନା । ଫୋର-ଟ୍ବେଣ୍ଟି ବିଲଡର ଅପରାଧିକ କାରନାମା । ୫ ବର୍ଷ ହେଲା ଲୋକଙ୍କୁ ଜମି ଘର ଦେବ କହି ଭଣ୍ଡାଇ ଚାଲିଥିଲା । ଲୋକଙ୍କୁ ଦେଖା କରୁନଥିଲା ବରଂ ଧମକାଇବା ସହ ଆକ୍ରମଣର ଦେଉଥିଲା ଧମକ୍ । ଜଣେ କି ଦୁଇଜଣ ନୁହେଁ ୧୦ ରୁ ଅଧିକ ଲୋକଙ୍କ ଠାରୁ ୩ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଖାରବେଳ ନଗର ପୋଲିସ ହାତରେ ଠକ ବିଲଡର ନରୋତ୍ତମ ମହାନ୍ତି । ନରୋତ୍ତମକୁ ସୋନପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ମାଆ ସନ୍ତୋଷୀ ଏନକ୍ଲେଭ ନାଁରେ ରାଜଧାନୀରେ ପ୍ରପର୍ଟି ଦେବାକୁ କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସୋର ଅଞ୍ଚଳର କିଛି ବ୍ୟକ୍ତି ଯେଉଁମାନେ ଠକେଇର ଶିକାର ହୋଇଥିଲେ ସେମାନେ ନରୋତ୍ତମ ନାଁରେ ମାମଲା ରୁଜୁ କରିଥିଲେ । ୨୦୧୯ରୁ ସେମାନଙ୍କୁ ଜମି ଓ ଘର ଦେବାକୁ କହି ଗତ ୫ ବର୍ଷ ହେଲା ଭଣ୍ଡାଇ ଚାଲିଥିଲା ନରୋତ୍ତମ । ବିଭିନ୍ନ ସମୟରେ ଭିନ୍ ଭିନ୍ନ ଆଳ ଦେଖାଇ ଲୁଚିବା ସହ ବାରମ୍ବାର ସିମ୍ ବଦଳାଉଥିଲା । ସବୁ ସମୟରେ ପୋଲିସକୁ ଖବର ଦେଉଥିଲେ ଠକାମୀର ଶିକାର ହେଉଥିବା ବ୍ୟକ୍ତି । ଲୋକଙ୍କୁ ସେ ଜମି କିମ୍ବା ଘର ଦେଉନଥିଲା ଏବଂ ସେମାନଙ୍କ ଟଙ୍କା ମଧ୍ୟ ଫେରାଉ ନଥିଲା । ଶେଷରେ ପୋଲିସ ତାକୁ ଗିରଫ କରିଛି ।