ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ: ଆଜି ଗୃହରେ ଦୁଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା

1 min read

ଭୁବନେଶ୍ୱର: ଦିନ ଯେତିକି ଗଡ଼ୁଛି ସେତିକି ସରଗରମ ହେଉଛି ବିଧାନସଭାର ବଜେଟ ଅଧିବେଶନ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ସରକାର ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ସଞ୍ଜମତା ରକ୍ଷା କରିଆସୁଛନ୍ତି । ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଜାରି ରହିଛି । ଗତକାଲି ଏସସିଏସଟି ଓ ସଂଖ୍ୟାଲଘୁ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗର ୩ ହଜାର ୧୭୨ କୋଟି ୮୭ ଲକ୍ଷ ୧୦ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରି ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୨ ହଜାର ୫୨୭ କୋଟି ୮୦ ଲକ୍ଷ ୨୩ ହଜାର କୋଟି ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହା ସହିତ ପ୍ରଶ୍ନକାଳରେ ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଷ, ଜଳବାୟୁ ବରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।