କାଲିଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ । ଏହା ପରେ ରବିବାର ଲୋକସଭାରେ ଆଗତ ହେବ ବଜେଟ । ପ୍ରଥମ ଥର ପାଇଁ ରବିବାର ବଜେଟ ଆସିବ । ସଂସଦର ବଜେଟ ଅଧିବେଶନ ପାଇଁ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ହେବ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଶେଷ ହେବ । ଫେବୃଆରୀ ୨ରୁ ୪ ତାରିଖ ଯାଏଁ ୩ ଦିନ ଧରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ନେଇ ଆଲୋଚନା ହେବ । ଲୋକସଭାରେ ଏବେ ୯ଟି ବିଲ୍ ପଡ଼ି ରହିଛି । ବଜେଟ ସହିତ ଏହି ୯ଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ କେନ୍ଦ୍ର ସରକାର ।

