ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ। ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ଏହି ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପର ଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ବଜେଟ ଆଗତ ହେବ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ।୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ବଜେଟରେ ଏଥର ପୁରୁଣା ଟାକ୍ସ ବ୍ୟବସ୍ଥା ଉପରେ କିଛି ପରିବର୍ତ୍ତନ ଆସିପାରେ। ପୁରୁଣା ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ପ୍ରଥମରୁ ଚର୍ଚ୍ଚା ଲାଗି ରହିଛି। ଏହି ଟ୍ଯାକ୍ସ ବ୍ୟବସ୍ଥା ୧ ଏପ୍ରିଲ ୨୦୨୦ରେ ଲାଗୁ କରାଯାଇଥିଲା। ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ। ପରମ୍ପରା ଅନୁସାରେ ବଜେଟ ଅଧିବେଶନ ଆରମ୍ଭ ଦିନ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ବୈଠକ ହେବ। ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଦୁଇ ଗୃହରେ ଆଲୋଚନା ହେବ। ଦୁଇ ସଦନରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଏହା ସମାପନ ହେବାର ପରମ୍ପରା ରହିଛି। ଏହା ପୂର୍ବରୁ ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ପୁରା ଶୀତ ଅଧିବେଶନ ଫିକା ପଡିଥିଲା। ଗୋଟିଏ ଦିନ ବି ଠିକରେ ଚାଲିପାରିନଥିଲା ଗୃହ। ଶୀତ ଅଧିବେଶନର ୨୬ଟି କାର୍ଯ୍ୟ ଦିବସରେ ଲୋକସଭାର ୨୦ଟି ବୈଠକ ଏବଂ ରାଜ୍ୟସଭାର ୧୯ଟି ବୈଠକ ହୋଇଥିଲା। ଲୋକସଭାରେ ୫ ବିଧେୟକ ଆଗତ ହୋଇଥିଲା। ୪ ବିଲ ଲୋକସଭାରେ ପାରିତ ହୋଇଥିବାବେଳେ ୩ ବିଲ ରାଜ୍ୟସଭାରେ ପାରିତ ହୋଇଥିଲା।