ବଜେଟ୍ ଅଧିବେଶନ: ଧାନ କିଣା ଓ ଚାଷୀ ସମସ୍ୟା ନେଇ ଗୃହରେ ହେବ ଆଲୋଚନା

ଭୁବନେଶ୍ୱର: ଧାନ କିଣା ଓ ଚାଷୀ ସମସ୍ୟା ନେଇ ବିଧାନସଭାରେ ଆସନ୍ତାକାଲି ୨ଘଣ୍ଟା ଆଲୋଚନା ହେବ  । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ଏହି ସୂଚନା ଦେଇଛନ୍ତି  । ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ଆଜି ଧାନକିଣା ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିବାରୁ ଗୃହ ବାରମ୍ବାର ମୁଲତବି ରହିଥିଲା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ସମବାୟ ମନ୍ତ୍ରୀ ଧାନକିଣା ନେଇ ବିବୃତି ରଖିଥିଲେ । ଏବେ ସୁଦ୍ଧା ଗତବର୍ଷଠାରୁ ୨୧ ପ୍ରତିଶତ ଅଧିକ ଧାନକିଣା ହୋଇଛି । ମାର୍ଚ୍ଚ ୩୧ ଯାଏଁ ଧାନ କିଣାଯିବ । ଧାନ କିଣାରେ ଓଡ଼ିଶା ଏଥର ସର୍ବକାଳୀନ ରେକର୍ଡ କରିବ । ଫେବ୍ରୁଆରୀ ୧୯ ସୁଦ୍ଧା ୯ଲକ୍ଷ ୯୩ ହଜାର ଚାଷୀ ସରକାରଙ୍କୁ ଧାନ ବିକିଛନ୍ତି । ଗତବର୍ଷ ଚାଷୀଙ୍କ ସଂଖ୍ୟା ଥିଲା ୮ଲକ୍ଷ ୨୩ ହଜାର । ସେହିଭଳି ଗତବର୍ଷ ଫେବ୍ରୁଆରୀ ୧୯ ସୁଦ୍ଧା ୪୫ଲକ୍ଷ ୬୧ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା  । ଏବର୍ଷ ଏହା ୫୫ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ହେଲାଣି । ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ଟଙ୍କା ଚାଷୀଙ୍କୁ ଦିଆଯାଉଛି । ୧୦ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇସାରିଲାଣି । ତେବେ ଏହି ପ୍ରସଙ୍ଗରେ ବିରୋଧୀ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ  । ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବି ରହିଥିଲା  । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ  । ଧାନ କିଣା ଓ ଚାଷୀ ସମସ୍ୟା ନେଇ ବିଧାନସଭାରେ ସୋମବାର ୨ଘଣ୍ଟା ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ସୂଚନା ଦେଇଛନ୍ତି ।

Leave a Reply