ଖେଳ ଓ ଖେଳାଳିଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର: ରାଜ୍ୟପାଳ

1 min read

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିଛନ୍ତି । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ମହାମାରୀ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଓଡ଼ିଶାରେ ଖେଳାଳିଙ୍କୁ ନିରନ୍ତର ସହଯୋଗ ଓ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ ଅର୍ଥ ବରାଦ କରି ସମଗ୍ର ଭାରତୀୟ କ୍ରୀଡା ଦୃଶ୍ୟପଟ୍ଟରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ରାଜ୍ୟପାଳ ।

ବିଧାନସଭାର ବଜେଟ ଅଧିବେଶନରେ ଅଭିଭାଷଣରେ ରାଜ୍ୟପାଳ ଗଣେଶୀ ଲାଲ୍ କହିଥିଲେ ଯେ, ସରକାର ୨୦୨୧ ମସିହା ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦେଶର ୧୬ଟି ଦଳକୁ ନେଇ FIH ପୁରୁଷ ଜୁନିଅର ହକି ବିଶ୍ୱକପ-୨୦୨୧ ସଫଳତାର ସହ ଆୟୋଜନ କରିଛନ୍ତି । ମହାମାରୀ ପରେ ଏହା ଆମ ଦେଶର ପ୍ରଥମ ଆନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଭାବରେ ଉଲ୍ଲେଖନୀୟ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନକୁ ସ୍ୱୀକୃତି ଦେଇ ସରକାର ଆଉ ୧୦ ବର୍ଷ ପାଇଁ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିକୁ ପ୍ରାୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ୧୨୦ କୋଟି ଟଙ୍କାର ଏକ ପ୍ରମୁଖ ପ୍ରକଳ୍ପ । ନିର୍ମାଣ ସଂପୂର୍ଣ୍ଣ ହେବା ପରେ ଏହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଭାରତର ସର୍ବବୃହତ କହି ଷ୍ଟାଡିୟମ ହେବ ଏବଂ କଳିଙ୍ଗ ଷ୍ଟାଡିୟମ ସହିତ ଏହି ଷ୍ଟାଡିୟମରେ ହକି ପୁରୁଷ ବିଶ୍ୱକପ-୨୦୨୩ ଆୟୋଜିତ ହେବ । ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ-୨୦୨୨ ପାଇଁ ଭୁବନେଶ୍ୱରରେ ପାଞ୍ଚଟି ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ତାଲିମ କେନ୍ଦ୍ର ପ୍ରାକୃତିକ ଟର୍ଫ ସହିତ ବିକଶିତ ହୋଇସାରିଛି । ଓଡ଼ିଶାର କ୍ରୀଡାବିମାନଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କ ସମସ୍ତ ପଦକ୍ଷେପଗୁଡିକର ମୂଳ ଆଭିମୁଖ୍ୟ ।

ହକି, ଫୁଟବଲ ବ୍ୟତୀତ ୭୦୦ କୋଟି ଟଙ୍କା ବ୍ୟୟରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ସୁବିଧା ଥିବା ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଏବଂ ଆବଶ୍ୟକ ସ୍ଥଳେ ସେଗୁଡିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ, ମହାମାରୀ ସମୟରେ ଚିକିତ୍ସାଳୟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ବ୍ୟବହୃତ ହୋଇପାରିବ । ୪୦୦ କୋଟି ଟଙ୍କା ବ୍ୟୟେ ନିର୍ମାଣ ହେବାକୁ ଥିବା କଳିଙ୍ଗ ଷ୍ଟାଡିୟମର ସଂପ୍ରସାରଣ ପ୍ରକଳ୍ପ, ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟ, ଏକ ବିଶ୍ୱସ୍ତରୀୟ ସନ୍ତରଣ କେନ୍ଦ୍ର, ଡେଭିସ୍ କପ୍ କ୍ରୀଡା ଆୟୋଜନ କ୍ଷମତା ରଖୁଥିବା ଟେନିସ୍ କେନ୍ଦ୍ର, ବିଶ୍ୱସ୍ତରୀୟ ହକି ହାଇ ପରଫରମାନ୍ସ ଏକାଡେମୀ କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ମାଇଲ ଖୁଣ୍ଟ ସଦୃଶ ହେବ ଏବଂ ବାସ୍ତବରେ ଓଡ଼ିଶା ଏକ କ୍ରୀଡା ହବ୍ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।

ସେହିପରି ସନ୍ତରଣ, ରଗବୀ, ଫୁଟବଲ ଫେଡେରେସନ ସହିତ ଅନ୍ତର୍ଜାତୀୟ ଓ ଜାତୀୟ କ୍ରୀଡା କାର୍ଯ୍ୟକ୍ରମକୁ ସରକାର ନିରନ୍ତର ସହଯୋଗ ଦେଉଥିବାରୁ ହକି, ଆଥଲେଟିକ୍ସ, ଫୁଟବଲ, ସନ୍ତରଣ, ପର୍ବତାରୋହଣ, କ୍ରୀଡା ବିଜ୍ଞାନ, ବ୍ୟାଡ ମିଣ୍ଟନ, ବନ୍ଧୁକଚାଳନା, ଭାରତ୍ତୋଳନ ଆଦି କ୍ରୀଡା ପ୍ରଦର୍ଶନ କେନ୍ଦ୍ରରେ କ୍ରୀଡାବିତମାନଙ୍କୁ ଉତ୍କୃଷ୍ଟ ତାଲିମ ପ୍ରଦାନ କରାଯାଇ କ୍ରୀଡାରେ ଉତ୍କର୍ଷ ପ୍ରତିପାଦନ କରିବାରେ ଏହା ସହାୟକ ହେବ ବୋଲି ଆଜି ଅଭିଭାଷଣରେ କହିଥିଲେ ରାଜ୍ୟପାଳ ଗଣେଶୀ ଲାଲ୍ ।