୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ତାଙ୍କ ଅଭିଭାଷଣ ରଖିଥିଲେ । ସିଡିଏସ୍ ବିପିନ ରାୱତଙ୍କ ସହ ଦିବଂଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ମହାମାରୀ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଓଡ଼ିଶାବାସୀଙ୍କ ପାଇଁ ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାର କରିଥିବା ଉଲ୍ଲେଖନୀୟ ପଦକ୍ଷେପ ବିଷୟରେ କହିଥିଲେ ରାଜ୍ୟପାଳ ।

ବିଧାନସଭାର ବଜେଟ ଅଧିବେଶନରେ ଅଭିଭାଷଣ ସମୟରେ ରାଜ୍ୟପାଳ କହିଥିଲେ ଯେ, ’ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ’ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ନୀତି ଆଧାରରେ ସରକାର ରାଜ୍ୟର ଜନସାଧରଣ ଆବଶ୍ୟକ କରୁଥିବା ସାର୍ବଜନୀନ, ସମୁଚିତ ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ସାମଗ୍ରିକ ରୂପାନ୍ତରଣ ଯୋଗୁଁ ଆଜି ରାଜ୍ୟର ଜନସାଧରଣ ଆମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକ ଉପରେ ଅତୁଟ ବିଶ୍ୱାସ ଏବଂ ଆସ୍ଥା ସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ମୁଖ୍ୟତଃ ୧୫ଟିରୁ ଅଧିକ ବୃହତ ଯୋଜନାର କାର୍ଯ୍ୟକାରିତା ଏବଂ ଅନେକ ଫଳପ୍ରସୂ ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ପଦକ୍ଷେପ ଦ୍ୱାରା ସମ୍ଭବ ହୋଇପାରିଛି ।

ସେହିପରି ସମସ୍ତଙ୍କୁ ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ’ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହେଉଛି ଏକ ସାର୍ବଜନୀନ ସୁନିଶ୍ଚିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ସରକାର ’ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ୯୬ ଲକ୍ଷ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ପରିବାରଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି । ରାଜ୍ୟରେ ଓ ରାଜ୍ୟ ବାହାରେ ଚିହ୍ନଟ ହୋଇଥିବା ଅତ୍ୟାଧୁନିକ ଘରୋଇ ଚିକିତ୍ସାଳୟରେ ଜଟିଳ ରୋଗର ଚିକିତ୍ସା ପାଇଁ ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ବୈଷୟିକ ଜ୍ଞାନକୈଶଳ ପ୍ରସୂତ ଏହି ସ୍ୱାସ୍ଥ୍ୟଚସେବା ଉପକ୍ରମ ଆଜି ସାରା ଦେଶରେ ପ୍ରଥମ ତଥା ସର୍ବୋକୃଷ୍ଟପଦକ୍ଷେପ ଭାବରେ ପରିଗଣିତ ହେଉଛି ବୋଲି କହିଥିଲେ ରାଜ୍ୟପାଳ ।