’ମୋହନ ସରକାରଙ୍କ ବଜେଟ୍ ପୁରୁଣା ସରକାରଙ୍କ ଯୋଜନାର କପି ପେଷ୍ଟ’

ଭୁବନେଶ୍ବର: ଗତକାଲି ମୋହନ ସରକାର ପ୍ରଥମ ବଜେଟ ଉପସ୍ଥାପନ କଲେ । ହେଲେ ଏହା ପୁରୁଣା ସରକାରଙ୍କ ଯୋଜନାର କପି ପେଷ୍ଟ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବଜେଟରେ ନୂଆ କିଛି ନାହିଁ । କେବଳ ବିଜୁ ବାବୁଙ୍କ ନାଁ ହଟାଇବାକୁ ଏହି ବଜେଟ ଆସିଥିବା ନେଇ କଟାକ୍ଷ କରିଛି କଂଗ୍ରେସ । ସେପଟେ ନବୀନ ସରକାରର ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବି ପରିବର୍ତ୍ତନ ହୋଇଛି । ହେଲେ ସେହି କାମକୁ ରାଜ୍ୟ ସରକାର ଆଗେଇ ନେଉ ନଥିବା ଅଭିଯୋଗ କରିଛି ବିଜେଡି ।

ବଜେଟରେ କିଛି ନାହିଁ, କିଛି ନୂଆ କରିନାହାଁନ୍ତି । ସବୁଜ ଭଲ ଲାଗିଲାନି ରଙ୍ଗ ବଦଳାଇ ଦେଇଛନ୍ତି । ଏହା ମୋହନ ସରକାରଙ୍କ ନାମ ପରିବର୍ତ୍ତନ ବଜେଟ । ବଦଳିଛି ନବୀନ ସରକାରଙ୍କ ୪୦ ଯୋଜନାର ନାଁ । ବଜେଟରେ ରାଜ୍ଯରେ ଚାଲୁଥିବା ବିଭିନ୍ନ ଯୋଜନାର ନାଁ ବଦଳାକୁ ନେଇ ଏପରି ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସରକାର ସମୟର ଯୋଜନାର ନାଁ ବଦଳାଇ ରାଜ୍ୟ ସରକାର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ବଜେଟରେ ମହିଳାଙ୍କ ପାଇଁ କିଛି ନାହିଁ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସମୟରେ କେବଳ ୭ ପ୍ରତିଶତ ମହିଳା ସ୍ୱାବଲମ୍ବୀ ଥିଲେ । ଏବେ ୭୭ ପ୍ରତିଶତ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି କେବଳ ନବୀନଙ୍କ ଉଦ୍ଯମ ପାଇଁ ।

ଗତ ସରକାର ବିଜୁ ବାବୁଙ୍କ ନାମରେ ଯେଉଁ ଯୋଜନା କରିଥିଲା, ସେହି ବିଜୁ ବାବୁ ନାମକୁ ଉଚ୍ଛେଦ କରିବା ହିଁ ବଜେଟର ମୂଳ ଉଦେଶ୍ୟ ବୋଲି କଂଗ୍ରେସ ଅନୁଭବ କରିଛି । ଏଥିରେ ରାଜ୍ୟରେ ଆଦିବାସୀ, ଗରିବ ଖଟିଖିଆଙ୍କ ପାଇଁ କିଛି ନୂଆ ନାହିଁ । ସାଧାରଣ ବର୍ଗ, ଗରିବଙ୍କ ପାଇଁ ବି ଯୋଜନା ନାହିଁ । ଦାଦନ, ମହିଳା ଓ ନିଯୁକ୍ତି ନେଇ ବି ବଜେଟରେ କିଛି ନଥିବା କଂଗ୍ରେସ ଅଭିଯୋଗ କରିଛି । ଏ ସରକାର ଯେଉଁ ବିକାଶର ସରକାର ବୋଲି ନାରା ଦେଉଛନ୍ତି ତାହା ବିନାଶର ସରକାର ପାଲଟିଥିବା କଂଗ୍ରେସ କଟାକ୍ଷ କରିଛି । ଏହା ଲୋକଙ୍କର ନୁହେଁ, ଅଫିସରଙ୍କ ବଜେଟ । ଯାହା ଅଫିସର ଲେଖୁଛନ୍ତି, ମନ୍ତ୍ରୀ ପଢୁଥିବା କଂଗ୍ରେସ କହିଛି ।

ଯୋଜନା ଗୁଡିକର ନାମ ପରିବର୍ତ୍ତନର ଯୁକ୍ତିଯୁକ୍ତତା କ’ଣ ବୋଲି ପ୍ରଶ୍ନ କରିଛି ବିଜେଡି । ଗୋଲାପକୁ ଯାହା ନାଁ ଦେଲେ ବି ବାସ୍ନା ସମାନ ରହିବ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୫୦ ଲକ୍ଷ ଅନୁମୋଦନ ମିଳିଛି । ହେଲେ ନିର୍ବାଚନ ପରେ ଏହା ବନ୍ଦ ରଖାଯାଇଥିବା ବିଜେଡି ଅଭିଯୋଗ କରିଛି । ବିଜେପି ବିଧାୟକ ଏହା ବନ୍ଦ ହୋଇଯାଇଥିବା କହୁଥିବାବେଳେ ବିଭାଗୀୟ ସଚିବ ଏହା ବନ୍ଦ ହୋଇ ନାହିଁ ବୋଲି କହିଛନ୍ତି । ତୁରନ୍ତ କାର୍ଯ୍ୟାଦେଶ ଦିଆଯାଇ କାମ କରାଯାଉ । ବିକଶିତ ଗାଁ ହେଲେ ଯାଇ ହିଁ ବିକଶିତ ଓଡିଶା ହେବ । ନହେଲେ ବିକାଶ କେବଳ ଧ୍ୱନୀରେ ରହିଯିବ ବୋଲି କହିଛି ବିଜେଡି ।

କେନ୍ଦ୍ର ପରି ରାଜ୍ୟ ବଜେଟ ବି ନିରାଶ କରୁଥିବା ଅଭିଯୋଗ ହୋଇଛି । ଯଦି ଲୋକଙ୍କ ପାଇଁ ବଜେଟ ନ ହୁଏ ଓ କେବଳ ପୁରୁଣା ଯୋଜନାର ନାଁ ବଦଳାଇ କାମ ଚାଲେ, ଧୀରେ ଧୀରେ ଲୋକେ ସବୁ ବୁଝିଯିବେ । ଯାହା ନୂଆ ସରକାର ପାଇଁ ଅଡୁଆ ପରିସ୍ଥିତି କରି ପାରେ ।