୧୭ ବିଭାଗର ବଜେଟ୍ ଖର୍ଚ୍ଚ ନୈରାଶ୍ୟଜନକ, ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ମୋହନ ସରକାର

1 min read

ଭୁବନେଶ୍ବର: ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ରାଜ୍ୟ ସରକାର । ସବୁଠୁ ଅଧିକ ବ୍ୟୟ ବରାଦ ହେଉଥିବା ୧୭ଟି ବିଭାଗର ଖର୍ଚ୍ଚ ନୈରଶ୍ୟ ଜନକ । ଏବେ ଯାଏଁ ଖର୍ଚ୍ଚ ହୋଇନି ଜୁଲାଇରୁ ସେପ୍ଟେମ୍ବରର ଟଙ୍କା । କେବିକେ ଯୋଜନାରେ ପ୍ରତି ବ୍ଲକକୁ ଦେଢ଼ କୋଟି ଟଙ୍କା ଦିଆଯିବା କଥା, କିନ୍ତୁ ତାହା ବି ହେଲା ନାହିଁ । ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ରାଜ୍ୟ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁ ନଥିବାରୁ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏହାସହ ଡବଲ ଇଞ୍ଜନ ସରକାରରେ ଓଡ଼ିଶା କେନ୍ଦ୍ରଠାରୁ ତା’ର ପ୍ରାପ୍ୟ ପାଇବ କି ନାହିଁ ତାହା ବି ସନ୍ଦେହରେ ବୋଲି ଆଶଙ୍କା କରିଛନ୍ତି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ କଡ଼ା ସମାଲୋଚନା କରିଛି ।

ବଜେଟ୍ ପରେ ବଜେଟ୍ ଆଣୁଛନ୍ତି ମୋହନ ସରକାର । ହେଲେ ଅର୍ଥ ଖର୍ଚ୍ଚ କରିବାରେ ସଂପୂର୍ଣ୍ଣ ବିଫଳ । ୧୭ଟି ବିଭାଗର ବଜେଟ୍ ଅର୍ଥ ଖର୍ଚ୍ଚ ଅତି ନୈରାଶ୍ୟଜନକ । ଗୃହ ଓ ନଗର ଉନ୍ନୟନ, ଯୋଜନା ଓ ସଂଯୋଜନା ବିଭାଗ, ଯୋଗାଣ ବିଭାଗ, ମିଶନ ଶକ୍ତି ବଜେଟ ଖର୍ଚ୍ଚ ସବୁଠୁ କମ । ଗୃହ ଓ ନଗର ଉନ୍ନୟନ ବିଭାଗର ୯ ହଜାର ୬୧୬ ଦଶମିକ ୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ମାତ୍ର ୨ ହଜାର ୨୦୦ କୋଟି ଖର୍ଚ୍ଚ ହୋଇଛି । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ବଜେଟରେ ୫୦୦ କୋଟି ଟଙ୍କା ଦେଇଥିଲେ ରାଜ୍ୟ ସରକାର । ହେଲେ ୬ ମାସ ଭିତରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ । ବିଡ଼ମ୍ବନାର କଥା, ଏଯାଏଁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରିନାହାନ୍ତି ରାଜ୍ୟ ସରକାର ।

କେବିକକେ ଯୋଜନାରେ ପ୍ରତି ବ୍ଲକରୁ ଦେଢ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ଥିଲେ ବି ଟଙ୍କାଟିଏ ମିଳିନାହିଁ । ବିଜେପି ସରକାରର ଏଭଳି ଆର୍ଥିକ ପରିଚାଳନାକୁ ନେଇ ଚିନ୍ତା ପ୍ରକଟ କରିଛି ମୁଖ୍ୟ ବିରୋଧୀ ବିଜେଡି । ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ବିଜେଡି, ରାଜ୍ୟ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି । ତଥ୍ୟ ସହ ଯୁକ୍ତି ବାଢ଼ି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିଜେଡ଼ି ନେତା ନିରଞ୍ଜନ ପୂଜାରୀ । ଏବେ ସୁଦ୍ଧା ଜୁଲାଇରୁ ସେପ୍ଟେମ୍ବର ଟଙ୍କା ଖର୍ଚ୍ଚ ହୋଇନାହିଁ । ବଜେଟ ବ୍ୟୟ ବରାଦ ଅର୍ଥକୁ ମୋହନ ସରକାର ଯେମିତି ଖର୍ଚ୍ଚ କରୁଛନ୍ତି ୮୦ରୁ ୯୦ ହଜାର କୋଟି ଟଙ୍କା ସରେଣ୍ଡର ହେବ ବୋଲି କହିଛି ବିଜେଡି ।

କେବଳ ସେତିକି ନୁହେଁ । ବଡ଼ ଇଞ୍ଜିନ ସରକାରରେ ଧୂଆଁ ବାହାରୁଛି ବୋଲି କହି ବିଜେପିକୁ କଟାକ୍ଷ କରିଛି ବିଜେଡି । କେନ୍ଦ୍ର ସରକାର ଓଡ଼ିଶାକୁ କ’ଣ ଦେବେ ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଦଳ । ଜାନୁଆରୀରେ ବସିବ ଅର୍ଥ କମିଶନ ବୈଠକ । କମିଶନଙ୍କ ପାଖରେ ରିପୋର୍ଟ ପ୍ରଦାନ କଲେ ଓଡ଼ିଶାକୁ ପ୍ରାପ୍ୟ ମିଳେ । କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଷ୍ଟେଟ ଫାଇନାନ୍ସ କମିଶନ ଗଠନ କରି ନାହାନ୍ତି କହି ଗୃହରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ବିହାରକୁ ୫୯ ହଜାର କୋଟି ଦେଇଥିବା ବେଳେ, ଆନ୍ଧ୍ରକୁ ୩୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦେଇଛି । ପ୍ରତିବଦଳରେ ଓଡ଼ିଶାକୁ କରାଯାଉଛି ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଯାହାର ଜବାବ ରଖିଛି ବିଜେପି ।

୨୦୦୦ ମସିହାରୁ ୨୦୨୪ ଯାଏଁ ଓଡ଼ିଶାର ଅର୍ଥନୀତି ବ୍ୟବସ୍ଥାରେ ଅଣାଯାଇଛି ସୁଧାର । ୨୦୦୦ ମସିହାରେ ଓଡ଼ିଶାର ଅର୍ଥନୀତି ୩୦ ନମ୍ବରରେ ଥିଲା l ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଆର୍ଥିକ ପରିଚାଳନାରେ ୧ ନମ୍ବର ରାଜ୍ୟରେ ପରିଣତ ହୋଇଛି l ଏହାକୁ ଏବେର ସରକାର ବଜାୟ ରଖନ୍ତୁ ବୋଲି ଅତିରିକ୍ତ ବଜେଟର ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ସରକାରଙ୍କୁ ପରାମର୍ଶ ଦେଇଛି ବିଜେଡି ।