ବଜେଟରେ ବିଜେପି ଦେଖାଉଛି ରଙ୍ଗିଲା ସ୍ୱପ୍ନ, ବିଧାନସଭାରେ ବର୍ଷିଲେ ବିଜେଡି ଓ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ବଜେଟ ପରେ ବଜେଟ ଆଣୁଛନ୍ତି ରାଜ୍ୟ ସରକାର । ବଡ଼ ବଜେଟ ଆଣି ବାହା ବାହା ନେବାକୁ କରୁଛନ୍ତି ପ୍ରୟାସ । ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଣିଛନ୍ତି । କିନ୍ତୁ ପୂର୍ବ ବଜେଟର ମାତ୍ର ୫୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ବହୁ ବିଭାଗରେ ବଜେଟ ଅର୍ଥ ଖର୍ଚ୍ଚ ଅତି ନଗନ୍ୟ । ୯ ମାସ ହେବ ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରୁନାହିଁ । ମୋହନ ସରକାର ପ୍ରଥମ ବଜେଟରେ ୪୩ ହଜାର କୋଟି ଋଣ ଓ ଦ୍ବିତୀୟ ବଜେଟରେ ୪୭ ହଜାର କୋଟି ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଅର୍ଥ ପାଇବା ବଦଳରେ ଓଡ଼ିଶାକୁ ମିଳୁଛି କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ।
କେତେବେଳେ ଡିଜି ସମ୍ମିଳନୀ ତ କେତେବେଳେ ପ୍ରବାସୀ ଭାରତୀୟ ସମ୍ମିଳନୀ । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ବଜେଟରେ ସ୍ବତନ୍ତ୍ର ଅନୁଦାନ ମିଳୁଥିବା ବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି । ଏପରି ଲମ୍ବା ଅଭିଯୋଗ ଆଣି ବଜେଟ ଆଲୋଚନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଅମୃତ କାଳରେ ଓଡ଼ିଶା କଣ ପାଇଲା, ତାହା ଏବେ ଗୀତ ହୋଇ ବାଜିଲାଣି। ଅନ୍ୟପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବଜେଟରେ ବିଜେପି ରଙ୍ଗିଲା ସ୍ୱପ୍ନ ଦେଖାଉଛି । ବିଜେପି ବଜେଟ ଅର୍ଥ ଖର୍ଚ୍ଚ କରିପାରୁନି କି ଖର୍ଚ୍ଚ କରିବାର କୌଶଳ ବି ଶିଖୁନି। ପୂର୍ବ ସରକାର ଏକ ଅଭିଜ୍ଞ ସରକାର ଥିଲା । ବଜେଟରେ ଯାହା ଅର୍ଥ ରଖୁଥିଲେ ତାହାକୁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଏ ସରକାର କାହା କଥା ଶୁଣୁନଥିବା ଅଭିଯୋଗ କରିଛି ବିଜେଡି।
ସେପଟେ କଂଗ୍ରେସ କହିଛି, ମୋହନ ସରକାର ନିରାଶର ବଜେଟ ଆଣିଛନ୍ତି । ସୁଭଦ୍ରା ଟଙ୍କା ଦେଉଛନ୍ତି, କିନ୍ତୁ ମା’ମାନଙ୍କ କଥା ଶୁଣୁନାହାନ୍ତି। ଜୀବନ ଜୀବିକା ପାଇଁ ରାଜରାସ୍ତାରେ ଲଢେଇ କରୁଛନ୍ତି ମହିଳା। ବଜେଟରେ ନିଯୁକ୍ତି ଠାରୁ ଆରମ୍ଭ କରି ଲୋକଙ୍କ ସ୍ବାର୍ଥ ଉପରେ କୌଣସି ଦୃଷ୍ଟି ଦିଆଯାଇନାହିଁ । ବଜେଟ ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେପି କହିଛି ଆମେ ବିକାଶର ବଜେଟ ଆଣିଛୁ ।