୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ
1 min read
ନୂଆଦିଲ୍ଲୀ: ଆସୁଛି ବଜେଟ । ୨୦୨୪-୨୫ ବଜେଟକୁ ନେଇ ଆଶାବାଦୀ ଦେଶବାସୀ । ଏନଡିଏ ୩.୦ରେ ମୋଦୀ ସରକାର ଦେଶବାସୀଙ୍କୁ ରିହାତି ଦେବେ ନା ବୋଝ ଲଦିବେ-ତାହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ସରକାରଙ୍କୁ ବିଭିନ୍ନ ମହଲ ବି ଦେଇସାରିଲେଣି ପ୍ରସ୍ତାବ । ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା ଫିକ୍କି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି ବିଭିନ୍ନ ପ୍ରସ୍ତାବ। ଭିତ୍ତିଭୂମି ବିକାଶ, ଖାଦ୍ଯ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଶକ୍ତିଶାଳୀ କରିବା, ଉଦ୍ଭାବନ ଓ ଗବେଷଣା ବିକାଶକୁ ବଜେଟରେ ଫୋକସ କରିବା ଲାଗି ଫିକ୍କି ଦେଇଛି ପ୍ରସ୍ତାବ । ଭୌତିକ, ସାମାଜିକ ଓ ଡିଜିଟାଲ ଭିତ୍ତିଭୂମି ଲାଗି ପବ୍ଲିକ କ୍ଯାପିଟାଲ ଏକ୍ସପେଣ୍ଡିଚର ବା କାପେକ୍ସ ବୃଦ୍ଧି ଲାଗି ଆଶାବ୍ଯକ୍ତ କରିଛି ଫିକ୍କି ।
ଆର୍ଥିକ ବର୍ଷ ୨୦୨୪ରେ କାପେକ୍ସ ପରିମାଣ ୧୧.୮ ଲକ୍ଷ କୋଟି ଥିବାବେଳେ ଆର୍ଥିକ ବର୍ଷ ୨୦୨୫ ଲାଗି ଏହି ପରିମାଣ ୨୫ ପ୍ରତିଶତ ବଢ଼ାଇବା ଲାଗି ଫିକ୍କି ପ୍ରସ୍ତାବ ଦେଇଛି । ଘରୋଇ କ୍ଷେତ୍ର, ଆକାଡେମିକ କ୍ଷେତ୍ର, ନିବେଶକ, ଷ୍ଟାର୍ଟଅପ, ସରକାରୀ ପାଣ୍ଠି ପ୍ରଦତ୍ତ ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଲାଗି ରହିଥିବା ପାଟେଣ୍ଟ ବକ୍ସ ବ୍ଯବସ୍ଥାର ସମୀକ୍ଷା କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ସେହିପରି ବର୍ତ୍ତମାନର ଟାକ୍ସ ଡିଡକ୍ସନ ଆଟ ସୋର୍ସ ବା ଟିଡିଏସକୁ ସରଳୀକରଣ, ଜିଏସଟି ସଂସ୍କାର ଲାଗି ଏକ ନୂଆ ତଥା ସ୍ବାଧୀନ ବିବାଦ ସମାଧାନ ଫୋରମ ଗଠନ, ଲିକ୍ଯୁଡିଟି ଲାଗି ଏମଏସଏମଇଗୁଡିକୁ ସକ୍ଷମ କରାଇବା, ଟ୍ରେଡ ରିସିଭେବଲ ଡିସକାଉଣ୍ଟିଂ ସିଷ୍ଟମ ବା ଟିଆରଇଡିଏସ ପ୍ଲାଟଫର୍ମରେ କମ୍ପାନୀଗୁଡିକର ପଞ୍ଜିକରଣ ସୀମା ୫୦୦ କୋଟିରୁ ୨୫୦ କୋଟି ଟଙ୍କାକୁ ହ୍ରାସ କରିବା ଲାଗି ପ୍ରସ୍ତାବ ଦେଇଛି ଫିକ୍କି । ଇଲେକ୍ଟ୍ରୋନିକ ଏକ୍ସଚେଞ୍ଜ ଜରିଆରେ ସୀମାପାର ପେପରଲେସ ଟ୍ରେଡ ଲାଗି ବ୍ଲକଚେନ ଭିତ୍ତିକ ସିଙ୍ଗଲ ପୋର୍ଟାଲ ଉପରେ ବି ଫିକ୍କି ଗୁରୁତ୍ବ ଦେଇଛି ।
ସେହିପରି ସରକାରୀ ଓ ବେସରକାରୀ ସହଭାଗିତାରେ କୃଷିଭିତ୍ତିକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଓ କୃଷକ ଉତ୍ପାଦକ ସଂଗଠନ ବା ଏଫପିଓ ସକାଶେ ଏକ ଜାତୀୟ ବୋର୍ଡ ଗଠନ ଲାଗି ପ୍ରସ୍ତାବ ଦେଇଛି ଫିକ୍କି ।