ଉଦ୍ଧାର ବିରଳ ବୌଦ୍ଧ ମୂର୍ତ୍ତିକୁ ସଂଗ୍ରହାଳୟକୁ ହସ୍ତାନ୍ତର

ଭଦ୍ରକ: ନଦୀ ଶଯ୍ୟାରୁ ଉଦ୍ଧାର ହୋଇଥିବା ବିରଳ ବୁଦ୍ଧ ମୂର୍ତ୍ତିକୁ ହସ୍ତାନ୍ତର । ସୁରକ୍ଷିତ ଭାବେ ରଖିବା ପାଇଁ ଷୋଳମପୁର ସ୍ଥିତ ବୌଦ୍ଧ ସଂଗ୍ରହାଳୟକୁ ହସ୍ତାନ୍ତର କରିଲେ ଯୁବକ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମୁଢାପଦା ଗାଁ ନିକଟ ବୈତରଣୀ ନଦୀ ଶଯ୍ୟାରୁ ଅଷ୍ଟମ ଶତାବ୍ଦୀର ୨ଟି ବିରଳ ବୌଦ୍ଧ ମୁର୍ତ୍ତି ଉଦ୍ଧାର ହୋଇଥିଲା । ତେବେ  ବୁଦ୍ଧ ମୂର୍ତ୍ତି ଦୁଇଟି ମଧ୍ୟରୁ ପ୍ରଥମଟି ହର୍ସମୁଖ ବୁଦ୍ଧ ମୂର୍ତ୍ତି ହୋଇଥିବା ବେଳେ ଦ୍ୱିତୀୟଟି ଗଜମୂଖ ସିଂହାସନ ବିରଳ ବୌଦ୍ଧ ଦେବୀଙ୍କ ଏକ ଭଗ୍ନ ପ୍ରତିମା ଉଦ୍ଧାର କରାଯାଇଥିଲା ।

ମୁଢାପଦା ଅଞ୍ଚଳରେ ପ୍ରୀତମ ମହାନ୍ତି ନାମକ ଯୁବକ ବୈତରଣୀ ନଦୀ ପଠାରୁ ବାଲି ଉଠାଣ ସମୟରେ ଏଇ ମୂର୍ତ୍ତି ପାଇ ନିଜ ଘରେ ରଖିଥିବା ବେଳେ, ଗତକାଲି ଷୋଳମପୁର ସ୍ଥିତ ବୌଦ୍ଧ ବିହାରର ଗବେଷକ ବିଶ୍ୱମ୍ୱର ରାଉତଙ୍କୁ ଯୋଗାଯୋଗ କରିଥିଲେ । ପରେ ଷୋଳମପୁର ର ବୌଦ୍ଧ ସଂଗ୍ରହାଳୟକୁ ଏହି ଦୁଇଟି ମୂର୍ତ୍ତି ହସ୍ତାନ୍ତର କରାଯାଇଛି। ତେବେ ଏହି ବିରଳ ବୁଦ୍ଧି ମୁର୍ତ୍ତିକୁ ଦେଖିବାକୁ ଷୋଳମପୁର ବୌଦ୍ଧ ବିହାରକୁ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଅଞ୍ଚଳରେ ବୌଦ୍ଧ ମୂର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହୁଥିବାରୁ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୂର୍ବରୁ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା ।

Leave a Reply