ଦଳ ବିରୋଧୀ କାର୍ଯ୍ୟ କଳାପ ପାଇଁ ୭ ବିଏସ୍ପି ବିଧାୟକ ନିଲମ୍ୱିତ: ଖୁବଶୀଘ୍ର ଏସ୍ପିରେ ସାମିଲ ହୋଇପାରନ୍ତି
1 min readଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି)ର ୭ ବିଧାୟକ ନିଲମ୍ୱିତ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ଦଳ । ବିଏସପି ସଭାପତି ମାୟାବତୀ ଏହି ୭ଜଣ ବିଧାୟକଙ୍କ ନିଲମ୍ବନ ନେଇ ଘୋଷଣା କରିଛନ୍ତି । ଏଥିସହିତ ମାୟାବତୀ କହିଛନ୍ତି ଯେ, ଏମଏଲସି ନିର୍ବାଚନରେ ବିଏସପି ଉଚିତ୍ ଜବାବ ଦେବ । ଏଭଳି କି ଆବଶ୍ୟକ ପଡ଼ିଲେ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ମୟାବତୀ ।
ବିଏସପି ବିଧାୟକ ଅସଲମ ରାଇନି (ଭୀନଗା-ଶ୍ରାବସ୍ତି), ଅସଲମ ଅଲ୍ଲୀ (ଢୋଲାନା-ହାପୁର), ମୁଜତାବା ସିଦ୍ଦିକି (ପ୍ରତାପପୁର-ଆହ୍ଲାବାଦ), ହାକିମ ଲାଲ ବିନ୍ଦ (ହାଣ୍ଡିଆ-ପ୍ରୟାଗରାଜ), ହରଗୋବିନ୍ଦ ଭର୍ଗବ (ସିଦ୍ଧୌଲି-ସୀତାପୁର), ସୁଷମା ପଟେଲ(ମୁଙ୍ଗରା ବାଦଶାହପୁର) ଏବଂ ଭନ୍ଦନା ସିଂ(ସଗଡି-ଆଜମଗଡ଼) ଦଳରୁ ନିଲମ୍ବିତ ହୋଇଛନ୍ତି।
ବିଏସପି ସଭାପତି ମାୟାବତୀଙ୍କ କହିବାନୁସାରେ, ଏମଏଲସି ନିର୍ବାଚନରେ ସେ ଅନ୍ୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବେ । ଏଥିପାଇଁ ଯଦି ତାଙ୍କୁ ବିଜେପିକୁ ଭୋଟ୍ ଦେବାକୁ ପଡିବ, ତାହେଲେ ସେମାନେ ଦେବେ । ୧୯୯୫ ମାମଲାକୁ ପ୍ରତ୍ୟାହାର କରିବା ତାଙ୍କର ବଡ ଭୁଲ ଥିଲା । ଏହା ସହିତ ମାୟାବତୀ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ।
ବିଏସପି ସଭାପତି ମାୟାବତୀଙ୍କ ପାର୍ଟି ନିଷ୍ପତ୍ତି ନେଇଛି ଯେ, ଯଦି ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ନିର୍ବାଚନରେ ସୁଯୋଗ ଦେଉଛନ୍ତି, ତାହେଲେ ବିଏସପି ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ। ସପା ଶାସନ ସମୟରେ ମାଫିଆ ଏବଂ ଗୁଣ୍ଡାରାଜ ଚାଲିଥିଲା ଯାହା ସମସ୍ତେ ଜାଣିଛନ୍ତି । ଉଲ୍ଲେଖନୀୟ ଯେ, ବିଦ୍ରୋହୀ ବିଧାୟକ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି । ସେମାନେ ଅଖିଳେଶ ଯାଦବଙ୍କୁ ଭେଟିସାରିଥିବା ସୂଚନା ରହିଛି ।