ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ଦୁଇ ବର୍ଷ ଚୁକ୍ତି ବଢ଼ାଇଲେ ସରକାର

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବ୍ୟବସ୍ଥା ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ସାଜିଛି ବରଦାନ । ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ସହିତ ୩ ଶହରୁ ଅଧିକ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ମିଳୁଛି ସେବା । ଏହାସହ ରାଜ୍ୟ ବାହାରର ଶତାଧିକ ହସ୍ପିଟାଲରେ ବି ବିଏସକେଓ୍ବାଇ ଅଧୀନରେ ମାଗଣା ରୋଗୀ ସେବା ଚାଲିଛି । ମାଗଣା ହୃଦରୋଗ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ବର୍ଷ ହେଲାଣି ସତ୍ୟସାଇ ହାର୍ଟ ହସ୍ପିଟାଲ ସହ କରିଥିବା ଚୁକ୍ତିକୁ ଆଉ ୨ ବର୍ଷ ପାଇଁ ବଢାଇଛନ୍ତି । ଏହି ଚୁକ୍ତି ବଳରେ ରାଜ୍ୟର ହଜାରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି । ସେହିପରି ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ମଧ୍ୟ ରାଜ୍ୟ ସରକାର ଦୁଇ ବର୍ଷ ଚୁକ୍ତି ବଢ଼ାଇଛନ୍ତି ।

ଚିକିତ୍ସା କ୍ଷେତ୍ରରେ ଆଶୀର୍ବାଦ ସାଜିଛି ବିଏସକେୱାଇ । ୪ ବର୍ଷ ମଧ୍ୟରେ ୬୪୦ ଶିଶୁଙ୍କ ହୋଇଛି ମାଗଣା ହାର୍ଟ ଅପରେସନ । ୨୦୧୮ରୁ ୨୦୨୨ ମଧ୍ୟରେ ୨୫୬ ଜଣ ସାବାଳକଙ୍କ ବି ମାଗଣା ହାର୍ଟ ଅପରେସନ ହୋଇଛି । ଅହମ୍ମଦାବାଦ ଓ ରାଜକୋଟରେ ଥିବା ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ରାଜ୍ୟ ସରକାର ୪ ବର୍ଷ ତଳୁ ଚୁକ୍ତି କରିଥିଲେ । ଏବେ ଆଉ ଦୁଇ ବର୍ଷ ପାଇଁ ଅର୍ଥାତ ୨୦୨୫ ଫେବ୍ରୁଆରୀ ଯାଏଁ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବାକୁ ନୂଆ ଚୁକ୍ତି ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜରେ ହୃଦରୋଗୀଙ୍କ ସ୍କ୍ରିନିଂ କ୍ୟାମ୍ପ ଜରିଆରେ ରୋଗୀଙ୍କୁ ଚିହ୍ନଟ କରାଯିବ । ଚୁକ୍ତି ବଳରେ ବର୍ଷକୁ ୫ ଶହ ଶିଶୁ ଓ ୫ ଶହ ଲୋକଙ୍କୁ ସତ୍ୟସାଇ ହାର୍ଟ ହସ୍ପିଟାଲ ମାଗଣା ଅପରେସନ କରିବ । ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ରୋଗୀଙ୍କୁ ଅହମ୍ମଦାବାଦର ଶ୍ରୀସତ୍ୟସାଇ ହସ୍ପିଟାଲରେ ଓ ୧୯ରୁ ୬୫ ବର୍ଷ ଲୋକଙ୍କୁ ରାଜକୋଟର ହସ୍ପିଟାଲରେ ମାଗଣା ଅପରେସନ କରାଯିବ ।

ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ହୋଇଥିବା ଚୁକ୍ତି ଅନୁସାରେ ରୋଗୀଙ୍କ ଚିକିତ୍ସା ଓ ଅପରେସନ ସମ୍ପୂର୍ଣ୍ଣ ମାଗଣା ହେବାକୁ ଥିବା ବେଳେ ଆଟେଣ୍ଡାଣ୍ଟଙ୍କ ରହିବା ଖାଇବା ଖର୍ଚ୍ଚ ବି ସତ୍ୟସାଇ ହସ୍ପିଟାଲ ବୁଝିବ । ଓଡ଼ିଶାରୁ ଅହମ୍ମଦାବାଦ ଓ ରାଜକୋଟ ଯିବା ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ରୋଗ ଚିହ୍ନଟ, ରୋଗର ଷ୍ଟାଟସ ଜାଣିବା ପାଇଁ ସବୁ ପ୍ରକାର ଟେଷ୍ଟ ସହ ହସ୍ପିଟାଲରେ ଅପରେସନ, ଆଇସିୟୁ, ସମସ୍ତ ଉପକରଣ ସମ୍ପୂର୍ଣ୍ଣ ମାଗଣାରେ କରିବ ସତ୍ୟସାଇ  ହସ୍ପିଟାଲ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଥିବା ବେଳେ ବିଏସକେଓ୍ବାଇ କାର୍ଡ ନଥିଲେ ମଧ୍ୟ ଜଣେ ହୃଦରୋଗୀ ଦେଶର ସବର୍ବୃହତ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଟେଷ୍ଟିଂ ଓ ଚିକିତ୍ସା ସୁବିଧା କରାଯାଇଛି । ରାଜ୍ୟ ଭିତରେ ୩ ଶହରୁ ଅଧିକ ଓ ରାଜ୍ୟ ବାହାରେ ଶତାଧିକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅନୁବନ୍ଧିତ ହୋଇଛନ୍ତି  । ପ୍ରତ୍ୟେକ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।